ନୟାଗଡ଼, (ବାଘୁଆବାର୍ତ୍ତା) : ଭାରତୀୟ ସଂସ୍କୃତିରେ ଶକ୍ତି ପୂଜା ପରମ୍ପରା ବହୁ ପୁରାତନ । ଉତ୍କଳୀୟ ସଂସ୍କୃତିର ଉଦ୍ବେଳିତ ଜନମାନସ ଦେବୀ ପୂଜାକୁ ଭକ୍ତି ଓ ନିଷ୍ଠା ସହକାରେ ଆପଣେଇ ନେଇଥାନ୍ତି । ଏଥିପାଇଁ ଓଡ଼ିଶାର ପୂରପଲ୍ଲୀଠାରୁ ଆରମ୍ଭ କରି ବଡ଼ ବଡ଼ ସହରରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ନୟାଗଡ଼ ସହରରେ ଅନୁଷ୍ଠିତ ଦୁର୍ଗାପୂଜା ନିଆରା ଢଙ୍ଗରେ ପାଳିତ ହୁଏ । ଚଳିତବର୍ଷ କରୋନା ମହାମାରୀ କାରଣରୁ ଯାକଜମକ ନହେଲେ ମଧ୍ୟ ପରମ୍ପରା ବଜାୟ ରଖିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ପୂଜା ରୀତିନୀତି ଅନୁସାରେ କରାଯାଉଛି । ନୟାଗଡ଼ର ବିଭିନ୍ନ ସ୍ଥାନରେ କରାଯାଉଥିବା ଦୁର୍ଗାପୂଜାଠାରୁ କଚେରୀ ବଜାର ପୂଜା ମଣ୍ଡପଠାରେ ଅନୁଷ୍ଠିତ ହେଉଥିବା ପୂଜାରେ ନିଆରା ଏବଂ ସ୍ୱତନ୍ତ୍ର ବୋଲି ଜଣାଯାଇଛି । ଏଠାରେ ଦୀର୍ଘ ୫୯ ବର୍ଷ ହେବ ପୂଜା ଅନୁଷ୍ଠିତ ହୋଇ ଆସୁଥିବା ଜଣାଯାଇଛି ।





