ଖଣ୍ଡପଡ଼ା,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଥାନା ଅଧିନ ଖଳିସାହି- ସିଂଘାପଡା ରାସ୍ତାର ଦହିଖାଇ ମୋଡ଼ରେ ସୋମବାର ପୂର୍ବାହ୍ନ ୧୦ଟା ସମୟରେ ୨ଜଣ ବୁଲା ବିକାଳିଙ୍କୁ ନିସ୍ତୁକ ମାଡ଼ ମାରି ୬ରୁ ୭ଜଣ ଲୁଟେରା ୨ଟି ମୋବାଇଲ, ଗୋଟିଏ ସୁନା ମୁଦି ସମେତ ପ୍ରେସର କୁକର, ଗ୍ରାଇଣ୍ଡର ଓ କିଛି ଟଙ୍କା ଲୁଟି ନେଇଥିବା ନେଇ ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଗ୍ରାମର ପ୍ରସନ୍ନ କୁମାର ନାୟକ, ନବ କିଶୋର ରଣା, ବ୍ରଜ କିଶୋର ସାହୁ ଓ ମଳୟ ବେହେରା ପ୍ରମୁଖ ଏକ ଧଳା ରଙ୍ଗର କାର ଯୋଗେ ଘର କରଣା ସାମଗ୍ରୀ ଧରି ସୋମବାର ସକାଳେ ଖଳିସାହି ବଜାରରେ ପହଁଚିଥିଲେ । ସେଠାରେ ସାମଗ୍ରୀ ବିକ୍ରୀ କରୁଥିବା ବେଳେ ଏକ ବାଇକ ଯୋଗେ ୨ଜଣ ଯୁବକ ସେଠାରେ ପହଁଚି ଏକ ପ୍ରେସର କୁକୁର ଓ ଗ୍ରାଇଣ୍ଡର କ୍ରୟ କରିବା ପାଇଁ ମୁଲଚାଲ କରିଥିଲେ । ନିକଟସ୍ଥ ଗ୍ରାମରେ ସେମାନଙ୍କ ଘର ତେଣୁ ସେଠାକୁ ଆସିଲେ ଟଙ୍କା ଦେଇଦେବେ ବୋଲି କହିବାରୁ ବୁଲା ବିକାଳି ପ୍ରସନ୍ନ ଓ ମଳୟ ସାମଗ୍ରୀ ଧରି ସେଠାକୁ ଯାଇଥିଲେ । ତେବେ ପୂର୍ବ ଯୋଜନା ମୁତାବକ ଦହିଖାଇ ମୋଡର ଏକ ନିକାଚଂନ ସ୍ଥାନରେ ପୂର୍ବରୁଲୁଚି ରହିଥିବା ୬ରୁ ୭ଜଣ ମୁଖାପିନ୍ଧା ଲୁଟେରା ହାତରେ ମାରଣାସ୍ତ୍ର, ଠେଙ୍ଗା ଓ ବମ୍ ଧରି ଉକ୍ତ ୨ଜଣ ବୁଲା ବିକାଳିଙ୍କୁ ଘେରିଯାଇ ନିସ୍ତୁକ ମାଡ ମାରିବା ସହ ସବୁକିଛି ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଦିର୍ଘ ସମୟ ପରେ ପ୍ରସନ୍ନ ଓ ମଳୟ ନଫେରିବାରୁ ଅନ୍ୟ ଦୁଇଜଣ ବୁଲାବିକାଳି ଉକ୍ତ ରାସ୍ତା ଦେଇ ସେଠାକୁ ଯାଇ ଉକ୍ତ ୨ଜଣଙ୍କୁ ଭେଟିବା ପରେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ ।






