ଖଣ୍ଡପଡ଼ା, (ବାଘୁଆବାର୍ତ୍ତା) : ‘ସରକାରକା ମାଲ ଦରିଆ ମେଁ ଡାଲ’ ଏହି ଉକ୍ତିଟିର ଯଥାର୍ଥତା ଏବେ ଖଣ୍ଡପଡ଼ା ସହରର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳିଛି । ଏକଦା ଏଠାରେ ଲୋକାରଣ୍ୟ ପରିବେଶ ସୃଷ୍ଟି ହେଉଥିବା ବେଳେ ଏବେ କୋଭିଡ-୧୯ ପରିସ୍ଥିତି ଯୋଗୁଁ ପର୍ଯ୍ୟଟନସ୍ଥଳୀ ପରିବେଶ ଖାଁ ଖାଁ ଲାଗୁଛି । ଗତ ୨ ବର୍ଷ ତଳେ ଉକ୍ତ ସ୍ଥାନରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲା । ଶାରୀରିକ ବ୍ୟାୟାମ ନିମନ୍ତେ ଅନେକ ମୂଲ୍ୟବାନ ଉପକରଣ ସେଠାରେ ସ୍ଥାପନ କରାଯାଇଥିଲା । ମାତ୍ର ସେହି ସବୁ ଉପକରଣ ଗୁଡିକ ଏବେ ଆଉ ସେଠାରେ ଦେଖିବାକୁ ମିଳୁନାହିଁ । ଚୋର, ତସ୍କର ଓ ଲୁଟେରାମାନେ ପର୍ଯ୍ୟଟନସ୍ଥଳୀ ପରିସରରୁ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ନେଇ ଅଭିଯୋଗ ହେଉଛି । ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଖଣ୍ଡପଡା କ୍ଷୁଦ୍ରଜଳସେଚନ ବିଭାଗ ସହକାରୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ଏହି ପର୍ଯ୍ୟଟନସ୍ଥଳୀଟିର ସୁରକ୍ଷା ଦିଗରେ ବିଭାଗୀୟ କର୍ତୃପକ୍ଷ ଯେତିକି ଧ୍ୟାନ ଦେବାକଥା ତାହା ଦେଇ ନଥିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ସାଧାରଣରେ ଅଭିଯୋଗ ଉଠିଛି । ତେଣୁ ଏଥିପ୍ରତି ଦାୟୀ କିଏ ପ୍ରଶାସନ ନା ବିଭାଗୀୟ କର୍ତୃପକ୍ଷ ଏ ନେଇ ଖଣ୍ଡପଡା ସହରବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବହୁ ପରିମାଣର ଅର୍ଥ ବ୍ୟୟ ସତ୍ୱେ ସୁନାମୁଁହି ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ଅଦ୍ୟାବଧି ସୁରକ୍ଷା କର୍ମଚାରୀ ନିଯୁକ୍ତିନହେବା ଆଉ ଏକ ବିଡମ୍ବନା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଚୋର, ତସ୍କର ଓ ଲୁଟେରାଙ୍କ ଯୋଗୁଁ ଶ୍ରୀହୀନ ହୋଇପଡିଥିବା ପର୍ଯ୍ୟଟନସ୍ଥଳୀର ଆବଶ୍ୟକୀୟ ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟିଦେବାକୁ ଅଂଚଳବାସୀ ଦାବିକରିଛନ୍ତି ।






