ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜଧାନୀରୁ ବଡ଼ ବାଇକ ଚୋରି ରାକେଟ ଠାବ । ୩୧ଟି ଚୋରି ବାଇକ୍ ଜବତ କଲା କମିସନରେଟ ପୁଲିସ । ବାଇକ୍ ଚୋରି ଗ୍ୟାଙ୍ଗର ୬ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି ବଡଗଡ ଥାନା ପୁଲିସ। ଚୋରି ବାଇକ୍ କିଣୁଥିବା ୨ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ରାଜଧାନୀର ବିଭିନ୍ନ ସମ୍ବେଦଶୀଳ ସ୍ଥାନ ହସ୍ପିଟାଲ, ମାର୍କେଟ, ସ୍କୁଲ, କୋର୍ଟ, ସବରେଜିଷ୍ଟର ଅଫିସ ସାମ୍ନାରୁ ଏହି ଗ୍ୟାଙ୍ଗ ବାଇକ୍ ଚୋରି କରି ନେଉଥିଲେ । ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ଗ୍ୟାଙ୍ଗ ରାଜଧାନୀରେ ହିରୋ କମ୍ପାନୀର ଗାଡିକୁ ଟାର୍ଗେଟ କରୁଥିଲେ। ଗାଡି ଚୋରଙ୍କ ନାଁରେ ପୂର୍ବରୁ ଅନେକ ଅଭିଯୋଗ ରହିଛି । କ୍ରିଷ୍ଣା ନାଁରେ ଭୁବନେଶ୍ୱରର ଅନେକ ଥାନାରେ ମାମଲା ରହିଛି। ଅନ୍ୟ ଜିଲ୍ଲା ପୁଲିସ ସହ ଯୋଗାଯୋଗରେ ରହିଛି ପୋଲିସ। ମୁଖ୍ୟତଃ କୋର୍ଟ, ଉତ୍କଳ ଗ୍ୟାଲେରିଆ ସମ୍ମୁଖ, ରବି ଟକିଜ ହାଟ ନିକଟରୁ ମାଷ୍ଟର କି’ ସହାୟତାରେ ବାଇକ ଗୁଡିକୁ ଲୁଟୁଥିଲେ ଏହି ଅଭିଯୁକ୍ତ। ଏହି ଲୁଟର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଆଖି ପିଛୁଳାକେ ଗାଡି ଗୁଡିକୁ ଲୁଟିନେବା ପରେ ସେଗୁଡିକୁ କୋଣାର୍କ ନିକଟରେ ଅଧା ଦାମରେ ବିକ୍ରି କରୁଥିଲେ ଏହି ଅଭିଯୁକ୍ତ । କିଛି ଗାଡିକୁ ମଧ୍ୟ ବନ୍ଧା ପକାଇ ବନ୍ଧା ଟଙ୍କାରେ ଲୁଟେରା ଅୟସ ଆରାମ କରୁଥିବା କହିଛନ୍ତି ପୁଲିସ କମିଶନର ।





