ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶା ରାଜନୀତିର ଅପାରଜେୟ ନେତା ତଥା ପୁରୀ ଜିଲ୍ଲା ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଆଜି ପରଲୋକ ଘଟିଛି । କିଛିଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପିପିଲି ନିର୍ବାଚନ ମଣ୍ଡଳୀରେ ସାତ ଥର ବିଧାୟକ ଥିବା ଶ୍ରୀଯୁକ୍ତ ମହାରଥୀ ଅନେକ ଥର ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇ ସେ ତାଙ୍କର ପରାକାଷ୍ଠା ଦେଖାଇଛନ୍ତି । ୧୯୮୫ରୁ ୧୯୯୫ ମସିହା ଦୁଇ ଥର ପିପିଲି ବିଧାୟକ ରହିଥିବା ବେଳେ ୨୦୦୦ ମସିହାରୁ ଲଗାତର ୫ ଥର ବିଧାୟକ ଥିବା ମହାରଥୀ ଯାତ୍ରା ଜଗତରେ ଜଣେ ପରିଚିତ ବ୍ୟକ୍ତିତ୍ୱ ବୋଲି ଜଣାଯାଏ । ଯାତ୍ରାକୁ ଅତ୍ୟନ୍ତ ଭଲ ପାଉଥିବା ମହାରଥୀ ସବୁବେଳେ କୁହନ୍ତି, ମରି ନାହିଁ ମହାରଥୀ ସରିନାହିଁ ରାଜନୀତି । ଆଜି ମହାରଥୀ ତାଙ୍କ ରାଜନୈତିକ ଜୀବନକୁ ଶେଷ କରି ମହାରଥୀ ଇହଳୀଳା ସମ୍ବରଣ କରିବା ପରେ ବହୁ ଶୁଭେଚ୍ଛୁ ଏବଂ ଦଳୀୟ କର୍ମକର୍ତ୍ତା ଗଭୀର ଶୋକବ୍ୟକ୍ତ କରିଥିବା ଜଣାଯାଇଛି ।





