ନୟାଗଡ଼, (ବାଘୁଆବାର୍ତ୍ତା) : କୃଷକ ବିରୋଧି କୃଷିବିଲ୍ ୨୦୨୦ ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତି ଅବସରରେ ତ୍ରିନାଥ ଛକଠାରୁ ଏକ କୃଷକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସଭାପତି ରଣଜିତ୍ ଦାଶ ସୂଚନା ଦେଇଛନ୍ତି । ଏହି ଅବସରରେ ତାଙ୍କ ଆବାସିକ କାର୍ଯ୍ୟାଳୟଠାରେ ଏକ ବୈଠକରେ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଛି । ଏଥି ସହିତ ଉକ୍ତଦିନ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଜିଲ୍ଲାର କୃଷକ ଏବଂ ଶ୍ରମିକଙ୍କ ୩୦ ହଜାର ଦସ୍ତଖତ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି । ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରାକ୍ତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଥିବା ଆୟୋଜକ କମିଟି ଅଧ୍ୟକ୍ଷ ଆଇନଜୀବୀ ରଣଜିତ ଦାଶ ସୂଚନା ଦେଇଛନ୍ତି । ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମଳ ଚରଣ ସାହୁ, ହୁସେନ ଖାଁ, ମନୋଜ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ ।






