ନୟାଗଡ଼, (ବାଘୁଆବାର୍ତ୍ତା) : କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ (ଆର୍ଡିସି) ଅନିଲ କୁମାର ସାମଲ ଆଜି ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଗସ୍ତ କରି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ନୟାଗଡ଼ ଜିଲ୍ଲାର କୋଭିଡ୍ ପରିସ୍ଥିତି ତଥା ଅନ୍ୟାନ୍ୟ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି । କେତେ ଲୋକଙ୍କର କୋଡ଼ିଡ୍ ଟେଷ୍ଟ୍ ହୋଇଛି ତାହା ପଚାରି ବୁଝିଛନ୍ତି । ସେହିପରି ୩୫୦ଟି ସାଧାରଣ ଶଯ୍ୟା, ୧୬ଟି ଆଇ.ସି.ୟୁ. ବେଡ୍, ୧୬ଟି ଭେଣ୍ଟିଲେଟରର ଉପରେ ସମୀକ୍ଷା କରି ପୁନଶ୍ଚ ୫୦ଗୋଟି ଆଇ.ସି.ୟୁ. ବେଡ୍ ଓ ୫୦ଟି ଭେଣ୍ଟିଲେଟର ବୃଦ୍ଧି କରାଯିବା ପାଇଁ କି ପ୍ରକାର ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ । କୋଭିଡ୍ରେ ପ୍ରାଣତ୍ୟାଗ କରିଥିବା ବ୍ୟକ୍ତିଙ୍କ ମରଶରୀରକୁ କୋଭିଡ୍ ନିୟମ ଅନୁସାରେ ସଂସ୍କାର କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ମଧ୍ୟ ସମୀକ୍ଷା କରିଥିଲେ । ପୁନଶ୍ଚ ପ୍ଲାଜମା ଅଧିକରୁ ଅଧିକ ଭାବରେ ସଂଗ୍ରହ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ପ୍ଲାଜମା ସଂଗ୍ରହ କରିବା ପାଇଁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି । ଜିଲ୍ଲାରେ କେତେ କରୋନା ରୋଗୀଙ୍କର ଟେଷ୍ଟିଂ ହୋଇଛି, କେତେ ପଜେଟିଭ ଚିହ୍ନଟ ହୋଇଛନ୍ତି ଏବଂ କେତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେ ସଂପର୍କରେ ମଧ୍ୟ ଅଲୋଚନା ହୋଇଥିବା ସୂଚନା ମିଳିଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଉପସ୍ଥିତ ରହି ତଥ୍ୟ ପ୍ରଦାନ କରିଥିବା ବେଳେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଏବଂ ଡି.ପି.ଏମ. ନିତ୍ୟରଂଜନ ବରାଳ ଉପସ୍ଥିତ ଥିଲେ ।






