ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ନାବାଳିକା ବିବାହ ଏକ ବ୍ୟାଧିରେ ପରିଣତ ହୋଇଥିବା ବେଳେ ଗତକାଲି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଢିପିସାହିରେ ଏକ ବିବାହକୁ ରୋକି ନାବାଳିକାକୁ ଚାଉଲ୍ଡ ଲାଇନ୍ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନାନୁସାରେ, ଢିପିସାହି ଗ୍ରାମର ଗଗନ ନାୟକଙ୍କ ସହ ଜଣେ ନାବାଳିକାଙ୍କ ବିବାହ ହେବା ପାଇଁ ଗତକାଲି ରାତିରେ ସବୁ ପ୍ରସ୍ତୁତି ସରିଥିଲା । ପୁଅ ବର ବେଶ ହୋଇ ସାରିଥିବା ବେଳେ ଝିଅ ମଧ୍ୟ ମଙ୍ଗୁଳା ହୋଇ ସାରିଥିଲେ । କୈାଣସି ସୁତ୍ରରୁ ଖବରପାଇ ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସୁଜାତା ବେହେରା, ଓଡ଼ଗାଁ ଆଇଆଇସି ପ୍ରଜ୍ଞାପାରମିତା ଜେନା ପ୍ରମୂଖ ଢିପିସାହି ଗ୍ରାମରେ ପହଂଚିଥିଲେ । ସେଠାରେ ଭୋଜି କାର୍ଯ୍ୟ ସରି ବିବାହ ଅନୁଷ୍ଠିତ ହେବା ବେଳକୁ ଏହାକୁ ରୋକା ଯାଇଥିବା ଜଣାଯାଇଛି । ଝିଅର ଇଚ୍ଛା ବିରୁଦ୍ଧରେ ବିବାହ କରାଯାଉଥିବା ଜଣାପଡ଼ିବା ପରେ ନାବାଳିକା କନ୍ୟାକୁ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସିରେ ହାଜର କରାଯାଇଛି । ସେଠାରୁ ନାବାଳିକାକୁ ତପସ୍ୟାକୁ ପଠା ଯାଇଥିବା ବେଳେ ଓଡ଼ଗାଁ ପୁଲିସ ବରକୁ ଅଟକ ରଖିଥିବା ଜଣାଯାଇଛି ।






