ପଥରଚକଡ଼ା ଗ୍ରାମର ନାରାୟଣୀ ପୀଠ
ନୟାଗଡ଼଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିକଟସ୍ଥ ପଥର ଚକଡ଼ା ଗ୍ରାମରେ ଅବସ୍ଥିତ ‘ନାରାୟଣୀ ପୀଠ’ ପ୍ରଶାସନର ଉଦାସୀନତା ପାଇଁ ଅବହେଳିତ ହୋଇ ପଡ଼ିଛି । ଏଠାରେ ସବୁବେଳେ ମଦ୍ୟପ ଓ ଅସାମାଜିକଙ୍କ ଆଡ୍ଡା ଜମୁଥିବା ବେଳେ ପ୍ରଚାର ଓ ପ୍ରସାର ଅଭାବରୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମୁଛି । ଏଥିସହିତ ଏଠାରେ ରହିଥିବା ଐତିହ୍ୟ ସଂମ୍ପର୍ଣ୍ଣ ପୁଷ୍କରିଣୀ ମଧ୍ୟ ଦୂଷିତ ହୋଇ ରହିଛି । ସୂଚନାନୁସାରେ, ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ପଥରଚକଡ଼ା ଗ୍ରାମରେ ଅବସ୍ଥିତ ‘ନାରାୟଣୀ ପୀଠ’ ।

ଏଠାରେ ମଙ୍ଗଳକାରିଣୀ ନାରାୟଣୀଙ୍କୁ ଜଗଦ୍ଧାତ୍ରୀ ରୂପେ ପୂଜା କରାଯାଏ । ଗୋଟିଏ ଦିଗରେ (ଉତ୍ତର) ମହାନଦୀ ଏବଂ ଅନ୍ୟ ଦିଗମାନଙ୍କୁ ଘେରି ରହିଥିବା ପାହାଡ଼ ପର୍ବତ ଓ ଅସଂଖ୍ୟ ବୃକ୍ଷରାଜିକୁ ନେଇ ଏ ମନମୁଗ୍ଧକର ପରିବେଶ । ଜନଶ୍ରୁତିରୁ ଜଣାଯାଏ ଯେ ନିକଟସ୍ଥ ଖଣ୍ଡପଡ଼ାର ରାଜାମାନେ ପୂର୍ବେ ଏସ୍ଥାନରେ କେଇ ଜଣ ବ୍ରାହ୍ମଣମାନଙ୍କର ଥଇଥାନର ବ୍ୟବସ୍ଥା କରି ଏ ଗ୍ରାମଟିକୁ ବ୍ରାହ୍ମଣ ଶାସନ ବୋଲି ନାମିତ କରିଥିଲେ । କିନ୍ତୁ ପରବର୍ତ୍ତୀ କାଳରେ ତାଙ୍କର ବଂଶଧରମାନେ ଏ ଗ୍ରାମଟିକୁ ‘ପଥର ଚକଡ଼ା’ ନାମରେ ଅଭିହିତ କରିଥିଲେ । କାରଣ, ସେତେବେଳେ ରାଜବଂଶର ପରମ୍ପରା ତାଙ୍କର ଐତିହ୍ୟ, ଜୀବନୀ ଓ ଶାସନ ଇତ୍ୟାଦି ବିଷୟ ଲିପିବଦ୍ଧ ଥିବା ତାଙ୍କର ‘ଚକଡ଼ା ପୁସ୍ତକ’ରୁ ଜଣାପଡ଼ୁଥିଲା । ପୁନଶ୍ଚ ସେତେବେଳେ ମଧ୍ୟ ଉକ୍ତ ‘ପଥରଚକଡ଼ା’ ଗ୍ରାମଟି ଏବେ ଅପେକ୍ଷା ଆହୁରି ଅଧିକ ବଡ଼ ବଡ଼ ପଥର ଦ୍ୱାରା ଆବଦ୍ଧ ହୋଇ ରହିଥିଲା ଏବଂ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣଥିଲା । ତେଣୁ ରାଜା ଏପରି ‘ପଥର’କୁ ନକଲ କରି ତାଙ୍କର ଚକଡ଼ା ପୁସ୍ତକରେ ଏ ଗ୍ରାମଟିର ନାମ ଏପରି ଉଲ୍ଲେଖ କରିଥିଲେ ବୋଲି ଜଣାଯାଏ । ସାମଲ, ସାହୁ, ସ୍ୱାଇଁ, ଗୋଛି, ରାଉତ ଏବଂ ନାୟକ ଏପରି ଛଅ ଗୋଟି ରୟତିକୁ ନେଇ ଉକ୍ତ ଗ୍ରାମଟି ଗଢ଼ି ଉଠିଥିଲା । ସାମଲ ରୟତି ମାଧପୁର ଡବା ଖୋଲରୁ, ସାହୁ ରୟତି ନରସିଂହପୁରରୁ, ରାଉତ ରୟତି ନରସିଂହପୁର ବ୍ରହ୍ମପୁରରୁ ଆଣି ଖଣ୍ଡପଡ଼ା ରାଜା ଏ ଶାସନରେ ବସତି ସ୍ଥାପନ କରିଥିଲେ । ପୁନଶ୍ଚ ରାଜା ଏ ଗ୍ରାମରେ ମଠର ନିର୍ମାଣ କଲେ । ମଠରେ ସାଧୁ ସନ୍ୟାସୀମାନଙ୍କୁ ଆଣି ରଖିଲେ । ମଠର ତତ୍ତ୍ୱାବଧାନ ନିମିତ୍ତ ୧୦୦ ଏକର ଜମି ଖଞ୍ଜା କରିଦେଲେ । ୧୯୪୨ ମସିହା ବେଳକୁ ଏସ୍ଥାନ ଅତ୍ୟନ୍ତ ପରିତ୍ୟକ୍ତ ହୋଇ ପଡ଼ି ରହିଥିଲା । ମନ୍ଦିର ନିକଟକୁ ଆସିବା ପାଇଁ ସେମିତି କୌଣସି ସ୍ୱତନ୍ତ୍ର ରାସ୍ତା ନଥିଲା । କଣ୍ଟେଇ ଲଟି, ବାଉଁଶ ଓ ଅନ୍ୟାନ୍ୟ ଗଛ ଗୁଡ଼ିକୁ କାଟି ବହୁ କଷ୍ଟରେ ଗୋଟିଏ ସଂକୀର୍ଣ୍ଣ ବାଟ କରାଯାଇଥିଲା । ଦେବୀ ନାରାୟଣୀ ମନ୍ଦିର ସେତେବେଳେ ମଧ୍ୟ ଏହିପରି ନିର୍ମିତ ହୋଇ ନଥିଲା । ପୂର୍ବରୁ ଦେବୀ ‘ନାରାୟଣୀ’ ମୂର୍ତ୍ତି ଏକ ବିସ୍ତୀର୍ଣ୍ଣ ଲଟା ମୂଳରେ ଥିଲେ ବୋଲି କୁହାଯାଏ । ତେଣୁ କେହି କେହି ଲୋକ ତାଙ୍କୁ ଲୁଟା ଠାକୁରାଣୀ ବୋଲି କହୁଥିଲେ । ପ୍ରକୃତରେ ‘ନାରାୟଣୀ’ ଶବ୍ଦର ଅର୍ଥ ହେଉଛି ଯେ ଗତିମୁକ୍ତି ଦାତ୍ରୀ । ପ୍ରକୃତରେ ଦେବୀ ନାରାୟଣୀ ହେଉଛନ୍ତି ମନୁଷ୍ୟ ଦ୍ୱାରା ସୃଷ୍ଟି ମନୁଷ୍ୟାକୃତ, ଅଷ୍ଟଭୂଜା ପୁଣି ମହିଷାମର୍ଦ୍ଧିନୀ ନାରାୟଣୀ ମୂର୍ତ୍ତିଟି ସମ୍ପୂର୍ଣ୍ଣ କଳାପାଟ ପଥରରେ ନିର୍ମିତ ବୋଲି ଜଣାଯାଏ । ତାଙ୍କର ଦୁଇ ପାଶ୍ୱର୍ରେ ଦୁଇ ଦ୍ୱାରପାଳ ଅଛନ୍ତି । ତନ୍ମଧ୍ୟରୁ ଗୋଟିଏ ବ୍ୟାଘ୍ରମୂଖୀ ଓ ଅନ୍ୟଟି ସିଂହମୂଖୀ । ଏତଦ୍ ଭିନ୍ନ ତାଙ୍କର ଦୁଇପାଶ୍ୱର୍ରେ ଅନ୍ୟ ପାଶ୍ୱର୍ ଦେବତାମାନେ ମଧ୍ୟ ଅଛନ୍ତି । ବିଶେଷ କରି ନାରାୟଣୀ ମୂର୍ତ୍ତିଟି ଖୋଲା ଦେହରେ ଥିବାବେଳେ ପାଖରୁ ଦେଖିଲେ ଆବଡ଼ା ଦେଖାଯାଏ । ଦୁର୍ଦ୍ଦାନ୍ତ କଳାପାହାଡ଼ ଆକ୍ରମଣରୁ ନାରାୟଣୀଙ୍କ ମୃର୍ତ୍ତି ରକ୍ଷା ପାଇନଥିଲା । ଯାହା ଫଳରେ କି ତାଙ୍କ ଦେହର କିଛି ଅଂଶ ଭାଙ୍ଗିରୁଜି ବିକଳାଙ୍ଗ ଦିଶୁଛି । ନାସିକାର ଅଗ୍ରଭାଗ, ମସ୍ତକର ଉପରିଭାଗ, ଅଧରୋଷ୍ଠର ଅଗ୍ରଭାଗ, ସମସ୍ତ ଅଷ୍ଟଭୁଜର କିଛି ଅଂଶ ଏବଂ ଡାହାଣପଟ ପାଦର ବୃଦ୍ଧାଙ୍ଗୁଳି କିଛି ଅଂଶ ନଷ୍ଟ ହୋଇଯାଇଛି । ତଥାପି ଏତେ ଗୁଡ଼ାଏ ଅଂଶ ଦେବୀଙ୍କର ଦେହରୁ ନଷ୍ଟ ହୋଇଯାଇଥିଲେ ମଧ୍ୟ ମୂର୍ତ୍ତିର ଗଠନ ଶୈଳୀ ଖୁବ୍ ସୁନ୍ଦର ଓ କମନୀୟ ତଥା ଅପରୂପା ।

ଆଦ୍ୟାଶକ୍ତି ନାରାୟଣୀଙ୍କର ଦେହର ଗଠନ ଶୈଳୀ, କଣ୍ଟିଲୋରେ ବିରାଜିତ ଶ୍ରୀଶ୍ରୀ ନୀଳମାଧବଙ୍କ ମୂର୍ତ୍ତିର ଗଠନ ଶୈଳୀ ସହିତ ସମାନ । ନାରାୟଣୀ ମନ୍ଦିର ସମ୍ପୂର୍ଣ୍ଣ ବଉଳମାଳ ପଥରରେ ନିର୍ମିତ । ବଉଳମାଳ ପଥରଗୁଡ଼ିକୁ ଏପରି ମେଳ କରାଯାଇ ବସାଯାଇଛି ଯେ, ନିକଟରେ ଥାଇ ଦେଖିଲେ ମଧ୍ୟ ପଥରର ଯୋଡ଼ା ଜଣାପଡ଼େନି । ସେ ସବୁକୁ ଲକ୍ଷ୍ୟ କଲେ ପ୍ରାଚୀନ କଳା କୌଶଳ ଓ ତା’ର ଗଠନ ଶୈଳୀକୁ ଉପଲବ୍ଧ କରିହୁଏ । ବାସ୍ତବରେ ସେତେବେଳର ନିର୍ମାଣ କୌଶଳ ଓ କାରୁକାର୍ଯ୍ୟ ନିଶ୍ଚିତ ରୂପେ ଉନ୍ନତମାନର ଥିଲା । ମା’ଙ୍କ ମନ୍ଦିର ସାମ୍ନାରେ ଏକ ପୁଷ୍କରିଣୀ ରହିଛି । ଯେଉଁ ପୋଖରୀର ଐତିହ୍ୟକୁ ନେଇ ଅନେକ ଦୃଷ୍ଟାନ୍ତ ରହିଛି । ଏହି ପୋଖରୀଟି ହେଉଛି ଗୋସିଂହ ଦତ୍ତ୍ୟର ଯଜ୍ଞ କୁଣ୍ଠ । ଏଣୁ ପୋଖରୀରୁ କେତେବେଳେ କୌଣସି ଗାଈ, ଗୋରୁ ପାଣି ପିଅନ୍ତି ନାହିଁ କି ଅଶୌଚ ଅବସ୍ଥାରେ ପୋଖରୀର ପାଣିକୁ କେହି ବି ଛୁଅନ୍ତି ନାହିଁ । ମାତ୍ର ଏଭଳି ଏକ ପର୍ଯ୍ୟଟନ କ୍ଷେତ୍ର ଓ ଏହାର ଐତିହ୍ୟ ସଂମ୍ପର୍ଣ୍ଣ ପୁଷ୍କରିଣୀ ଅବହେଳିତ ହୋଇ ପଡ଼ିରହିଛି ।






