ଅବ୍ୟବସ୍ଥାରେ ଜିଲ୍ଲାର ଫାଣ୍ଡି
ନୟାଗଡ଼଼, (ବାଘୁଆବାର୍ତ୍ତା) : ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଥାନା, ଫାଣ୍ଡି ପ୍ରତିଷ୍ଠା କରୁଛନ୍ତି । ଆବଶ୍ୟକତା ଅନୁଯାୟୀ ପୁଲିସ ମୁତୟନ କରୁଛନ୍ତି । ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଥିବା ପୁଲିସ ସଂନ୍ଧ୍ୟା ହେଲେ ନିଜର ସୁରକ୍ଷା ଖୋଜିବା ଭଳି ପରିସ୍ଥିତି ସୃଷ୍ଟି ହେଇଛି ନୟାଗଡ଼ ଜିଲ୍ଲା ଗୁଡ଼ିକରେ ରହିଥିବା ଫାଣ୍ଡିରେ । ନୟାଗଡ଼ ଜିଲ୍ଲାରେ ୧୧ଟି ଫାଣ୍ଡି, ଗୋଟିଏ ପୁଲିସ ବିଟ ହାଉସ ଏବଂ ଗୋଟିଏ ପେଟ୍ରୋଲିଂ ଫାଣ୍ଡି ରହିଛି । ସେଥିମଧ୍ୟରେ ରାଜସୁନାଖଳା, ଗୋଡ଼ିପଡ଼ା, ବାହାଡ଼ଝୋଲା, ମାଳିସାହି, ମହୀପୁର, କଣ୍ଟିଲୋ, ନୂଆଗଡ଼ିଆ ସାହି, କୋସକା, ଭାପୁର, ଜଗନ୍ନାଥପ୍ରସାଦରେ ଫାଣ୍ଡି ରହିଥିବା ବେଳେ ଦର୍ପନାରାୟଣପୁରରେ ପୁଲିସ ବିଟ ହାଉସ ରହିଛି ଏବଂ ନୟାଗଡ଼ ଟାଉନଥାନା ଅଧିନ ପୁରୁଣା ବସଷ୍ଟାଣ୍ଡଠାରେ ରହିଛି ଗୋଟିଏ ମାତ୍ର ପୁଲିସ ପେଟ୍ରୋଲିଂ ଫାଣ୍ଡି ।

ଏଥିମଧ୍ୟରୁ ଅନେକ ଫାଣ୍ଡି ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଜଣାପଡ଼ୁଛି । କେଉଁଠି ଫାଣ୍ଡିର ନିଜସ୍ୱ ଘର ନଥିବାରୁ ଦୀର୍ଘଦିନ ହେବ ଭଡ଼ା ଘରେ ଚାଲି ଆସୁଛି ତ ପୁଣି କେଉଁଠି ଆବଶ୍ୟକୀୟ ପୁଲିସ କର୍ମଚାରୀ ରହୁନଥିବାରୁ ଲୋକଙ୍କୁ ନିକଟସ୍ଥ ଥାନାକୁ ଦୈାଡ଼ିବାକୁ ପଡ଼ୁଛି । ଏଥିମଧ୍ୟରେ ଥିବା ସଦରଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ଦୀର୍ଘ ୫୫ ବର୍ଷ ଧରି ଏକ ଭଙ୍ଗା ଦଦରା ଚାଳ ଘରେ ଚାଲିବା ପରେ ଏବେ ଘର ନଷ୍ଟ ହୋଇଯିବାରୁ ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା କୋଠରୀରେ ଚାଲିଛି । ଫଳରେ ଅପରାଧିଙ୍କୁ ଗିରଫ କରିବା ପରେ ସିଧା ନେଇ ସଦରଥାନାରେ ରଖିବାକୁ ପଡ଼ୁଛି । ଅନେକ ସମୟରେ ଅପରାଧି ମାନଙ୍କୁ ମୁକୁଳା ବାରଣ୍ଡାରେ ବସା ଯାଉଛି । ଏଠି ନା ହାଜତ ଅଛି, ନା ଅଭ୍ୟର୍ଥନା ପ୍ରକୋଷ୍ଠ । ସେହିଭଳି ଖଣ୍ଡପଡ଼ା ଥାନା ଅଧିନରେ କାର୍ଯ୍ୟ କରୁଥିବା ଗଡ଼ିଆସାହି ଫାଣ୍ଡିରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଆଦିବାସୀ ଅଧ୍ୟ୍ୟୁଷିତ ବଣପାହାଡ଼ ଘେରା ଅଂଚଳରେ ଆଇନଶୃଙ୍ଖଳା ରକ୍ଷା ଦିଗରେ ଏହି ଫାଣ୍ଡିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ ହେଁ ଉକ୍ତ ଫାଣ୍ଡିର ବିଭିନ୍ନ ସମସ୍ୟା ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ନଦେବା ଦୁଃଖର ବିଷୟ । ଖଳିସାହି-କୋସକା ପୂର୍ତବିଭାଗ ରାସ୍ତା ପାଶ୍ୱର୍ରେ ଏକ ବିପଦଶଙ୍କୁଳ ଦୋକାନ ଘରେ ଦୀର୍ଘବର୍ଷ ଧରି ଗଡ଼ିଆସାହି ପୋଲିସ ଫାଣ୍ଡିଟି କାର୍ଯ୍ୟ କରୁଛି । ପୁରାତନ କୋଠାରେ ଚାଲିଥିବା ଫାଣ୍ଡି କାର୍ଯ୍ୟାଳୟ ଛାତରୁ ବର୍ଷା ଦିନେ ପାଣି ଗଳିବା ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ନଥିପତ୍ର ଓଦା ହୋଇ ନଷ୍ଟ ହେବାରେ ଲାଗିଛି । ପୁନଶ୍ଚ ପୋଲିସ କର୍ମଚାରୀମାନେ ରହିବା ନିମନ୍ତେ ସ୍ଥାନୀୟ ଅଂଚଳରେ ଆବଶ୍ୟକୀୟ ବାସଗୃହ ଭଡ଼ାରେ ମିଳୁନଥିବାରୁ ବାଧ୍ୟ ହୋଇ କର୍ମଚାରୀମାନଙ୍କୁ ବାରଦୁଆର ଶୁଣ୍ଡିପିଣ୍ଡା ହେବାକୁ ପଡ଼ୁଛି । କୋସକା ଫାଣ୍ଡିରେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏଠାରେ ରହିଥିବା ଫାଣ୍ଡି ଗୃହକୁ ପୁଲିସ କର୍ମଚାରୀମାନେ କ୍ୱାର୍ଟରରେ ପରିଣତ କରିଛନ୍ତି । ପୁଲିସ କର୍ମଚାରୀମାନେ ଫାଣ୍ଡି କାର୍ଯ୍ୟାଳୟରେ ଖଟ ପକାଇ ଶୋଉଥିବା ବେଳେ ଏଠାରେ ଅନ୍ୟ ଏକ ବିସ୍ମୟକର କଥା ଦେଖିବାକୁ ମିଳିଛି । କର୍ମଚାରୀମାନେ ହିଟର ଲଗାଇ ରୋଷେଇ କରୁଥିବା ଦୃଶ୍ୟ ଗତକାଲି ଦେଖିବାକୁ ମିଳୁଛି । ବିଦ୍ୟୁତ୍ ବିଭାଗ ହିଟର ଲଗାଇବା ପାଇଁ ବାରଣ କରୁଥିବା ବେଳେ ପୁଲିସ କର୍ମଚାରୀ ହିଟର୍ ଲଗାଇ କେଉଁଭଳି ଭାବେ ରୋଷେଇ କରୁଛନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେହିଭଳି ଭାବେ ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ଫାଣ୍ଡିରେ କେତେବେଳେ ପୁଲିସ ବାବୁ ରହୁଛନ୍ତି ସେ ନେଇ ସ୍ଥାନୀୟ ଲୋକେ ସନ୍ଦୀହାନ ଅବସ୍ଥାରେ ରହୁଛନ୍ତି । କୈାଣସି କାମ ପଡ଼ିଲେ ଲୋକଙ୍କୁ ଦଶପଲ୍ଲା ଥାନାକୁ ଦୈାଡ଼ିବାକୁ ପଡ଼ୁଛି । ବିଭିନ୍ନ ସମୟରେ ଏହି ଅଂଚଳରେ ହତ୍ୟା, ଲୁଟ ତରାଜ ଭଳି ଘଟଣା ଘଟୁଥିଲେ ମଧ୍ୟ ପୁଲିସ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ନିଜ ସୁରକ୍ଷା ପାଇଁ ରାତିରେ ଏଠାରେ ରହୁନଥିବା ଅଭିଯୋଗ ହେଉଛି । ନୟାଗଡ଼ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫାଣ୍ଡି ହେଉଛି ରାଜସୁନାଖଳା ଫାଣ୍ଡି । ଏଠାରେ ମଧ୍ୟ ଆବଶ୍ୟକୀୟ କର୍ମଚାରୀ ନଥିବା ଜଣାଯାଇଛି । ନୂଆଗାଁ ଥାନା ଅଧିନରେ ଥିବା ମହୀପୁର ଫାଣ୍ଡିରେ ମଧ୍ୟ ନାନାଦି ଅବ୍ୟବସ୍ଥା ରହିଛି । ଆବଶ୍ୟକୀୟ କର୍ମଚାରୀ ଅଭାବ କାରଣରୁ ଏଠାରେ ଲୋକଙ୍କ ହୀନବସ୍ଥା ଭୋଗିବାକୁ ପଡ଼ୁଛି । ଖୋର୍ଦ୍ଧା ବଲାଙ୍ଗୀରୀ ଜାତୀୟ ରାଜପଥ କଡ଼ରେ ଥିବା ଏହି ଫାଣ୍ଡି ୨୦୦୮ ମାଓ ଆକ୍ରମଣରେ ଘାଇଲା ହୋଇଥିଲା । ଏଠାରେ ମାଓବାଦୀମାନେ ଫାଣ୍ଡି ଅଧିକାରୀଙ୍କୁ ହତ୍ୟା କରିବା ସହ ଫାଣ୍ଡି ପୋଡ଼ି ଦେଇଥିଲେ । ସେହିଭଳି ଅନ୍ୟତମ ଗୁରୁତ୍ୱ ପୂର୍ଣ୍ଣ ପାଣ୍ଡି ହେଉଛି କଣ୍ଟିଲୋ ଫାଣ୍ଡି । ଏଠାରେ ପୁଲିସ ଓ ମାଫିଆଙ୍କ ମଧ୍ୟରେ ଅସାଧୁ ପ୍ରୀତି କାରଣରୁ କଣ୍ଟିଲୋ ଦେଇ ବହୁ ମୁଲ୍ୟବାନ କାଠ, ଗଞ୍ଜେଇ ଓ ଗୋ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ସେହିଭଳି ଭାବେ ଅନ୍ୟାନ ସ୍ଥାନରେ ରହିଥିବା ଫାଣ୍ଡି ଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ଥିବା ଜଣାଯାଇଛି । ଜିଲ୍ଲାର ଫାଣ୍ଡି ଗୁଡ଼ିକରେ ଆବଶ୍ୟକୀୟ କର୍ମଚାରୀ, ଯାନ ଏବଂ ମୈାଳିକ ସୁବିଧା ଯୋଗାଇ ଦିଆଗଲେ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ଏହା ନିର୍ଣ୍ଣାୟକ ଭୂମିକା ନେବ ବୋଲି ଜଣାଯାଇଛି । ଜିଲ୍ଲାରେ ଥିବା ଫାଣ୍ଡି ଗୁଡ଼ିକର ଏଭଳି ସ୍ଥିତିରେ ସାଧାରଣ ଲୋକେ କିଭଳି ନ୍ୟାୟ ପାଇବେ ତାହା ବିଚାର ଯୋଗ୍ୟ ହୋଇ ପଡ଼ିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।






