ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବନଖଣ୍ଡ ଅଧିକାରୀ(ଡିଏଫ୍ଓ) ଏବେ ଆକ୍ସନ ମୁଡ୍ରେ । ଗତ କିଛିଦିନ ତଳେ ପଂଚରିଡ଼ା ରେଞ୍ଜ ଅନ୍ତର୍ଗତ ଧୁସୁମା ଗ୍ରାମରେ ରାତି ଅଧିଆ ଚଢ଼ାଉ କରି ପୋଖରୀରୁ ବିପୁଳ ପରିମାଣର ପାଠ ଜବତ କରିଥିବା ବେଳେ ଏବେ ଦଶପଲ୍ଲାରେ ଚାଲିଛି ଘନ ଘନ ଚଢ଼ାଉ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳର ଖମାରସାହି ପଂଚାୟତ ପଦ୍ମପୁର ଗ୍ରାମରେ ଥିବା ନୀଳଚକ୍ର କାଠଗୋଲାରେ ଦୀର୍ଘଦିନ ହେବ ବେଆଇନ କାଠ କାରବାର ହେଉଥିବା କାରଣରୁ ଦୁଇଦିନ ତଳେ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ ହୋଇ ବିପୁଳ ପରିମାଣର କାଠ ଜବତ ହୋଇଥିଲା । ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ସହ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୋମନାଥ ନାୟକ ଏବଂ ବନପାଳ ସନ୍ତୋଷ ଦୋରାଙ୍କ ସମେତ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ନୀଳଚକ୍ର କାଠଗୋଲା ଉପରେ ଚଢାଉ କରିଥିଲେ । ଚଢ଼ାଉ ସମୟରେ କାଳଗୋଲାରୁ ୧୬୯ଟି ଶାଳ ସାଇଜ୍ ଏବଂ ୫୫ଟି ଗମ୍ଭାରି ପଟା ଜବତ ହୋଇଥିବା ବେଳେ ଆଜି କାଠଗୋଲା ମାଲିକ ଯଦୁନାଥ ପରିଡ଼ାଙ୍କ ଦଣ୍ଡାଭୁଇଁ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିବା ଜଣାଯାଇଛି । ଦଶପଲ୍ଲା ବନାଞ୍ଚଳ କର୍ମଚାରୀଙ୍କ ସହ ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ମଧ୍ୟ ଆଜି ସଦଳବଳେ ଚଢ଼ାଉରେ ସାମିଲ ହୋଇଥିବା ବେଳେ ଆଜି କାଠଗୋଲା ମାଲିକ ଶ୍ରୀଯୁକ୍ତ ପରିଡ଼ାଙ୍କ ଘରୁ ୧୪ଟି ଶାଳ ସାଇଜ୍ ଜବତ କରାଯାଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ମାତ୍ର ଯଦୁନାଥଙ୍କ ଘରେ ଚଢ଼ାଉ ସମୟରେ ସେ ଘରେ ନଥିବା ଜଣାଯାଇଛି । ସେହିଭଳି ଭାବେ କାଠଗୋଲା ଲିଙ୍କରେ ପୁରୁଣା ଦଶପଲ୍ଲା ଗ୍ରାମରେ ଚଢ଼ାଉ କରାଯାଇ ୫ଟି ଶାଳ ଲଗ ଜବତ କରାଯାଇଛି । ଏହି ଚଢ଼ାଉ ପରେ ଗଣିଆ ବନାଞ୍ଚଳ ଅଧିକାରିଣୀ କୈାଣସି ସୁତ୍ରରୁ ଖବରପାଇ ମର୍ଦ୍ଦାବାଡ଼ି ଗ୍ରାମରେ ଚଢ଼ାଉ କରି ୩ଟି ଶାଳ ଲଗ୍ ଜବତ କରିଥିବା ଡିଏଫ୍ଓ ସୂଚନା ଦେଇଛନ୍ତି । ଏଥିସହିତ ବେଆଇନ କାଠ କାରବାରର ମୂଳ ପୋଛ କରାଯିବ ବୋଲି ଡିଏଫ୍ଓ କାଠ ମାଫିଆଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି ।







