ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କାୟା ବିସ୍ତାର କରି ଅଢ଼େଇ କୋଟି ଠକେଇ ଅଭିଯୋଗରେ ଜଣେ ଯୁବକ ଥାନାରେ ଅଟକ ଅଛନ୍ତି । ଚିଟ୍ଫଣ୍ଡ ଠକେଇରେ ଜମାକାରି ମାନେ ଏବେବି ଉବୁଟୁବୁ ହେଉଥିବା ବେଳେ ତଥାପି ଲୋକମାନେ ଲୋଭର ଶିକାର ହୋଇ ଶେଷରେ ଥାନାର ଦ୍ୱାରସ୍ଥ ହେଉଛନ୍ତି । ଏଭଳି ଏକ ଘଟଣା ରଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ସୁଚନାନୁସାରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଦର୍ପନାରାୟଣପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଓଡ଼ଗାଁ ଥାନା ଅନ୍ତର୍ଗତ ପାଣ୍ଡେରିପଡ଼ାର ନବକିଶୋର ପ୍ରଧାନ ଓ ଅନ୍ୟ କିଛି ବ୍ୟକ୍ତି ଦର୍ପନାରାୟଣପୁର ଫାଣ୍ଡିରେ ଠକେଇ ଅଭିଯୋଗର ମାମଲା ରୁଜୁ କରିଥିଲେ । ଫାଣ୍ଡି ଅଧିକାରୀ ବିଭୁତି ଭୁଷଣ ସିଂ ଗଜାନନ ପ୍ରଧାନ ଓରଫ ଗଣେଷକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ଗଜାନନଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ହୋଇଥିବା ବେଳେ ସେ ଦର୍ପନାରାୟଣ ପୁର ଗ୍ରାମରେ ବିବାହ କରି ଘର ଜ୍ୱାଇଁ ଭାବେ ରହୁଥିଲେ । ଅଭିଯୋଗ ଅନୁଯାୟୀ ଗଜାନନ ଟ୍ରାଙ୍ଗୁଲାର ପ୍ଲେଟ ନାମରେ ଏକ ଜାଲ୍ ଚିଟ୍ଫଣ୍ଡ ସଂସ୍ଥା କରି ଅଢ଼େଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୋକଙ୍କ ଠାରୁ ଠକିଛନ୍ତି । ଜମାକାରି ମାନେ ଗତ କାଲି ତାଙ୍କ ଘରକୁ ଘେରାଉ କରି ଘର ଭାଙ୍ଗିବା ସମୟରେ ପୁଲିସ ଖବର ପାଇ ଗଜାନନକୁ ଥାନାକୁ ଆଣି ତଦନ୍ତ ଚଳାଇଛି । ରଣପୁର ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ ଓ ଶରଣକୁଳ ଏସଡିପିଓ ସୁଧାକର ସାହୁ ଘଟଣା ଉପରେ ଗୁରୁତ୍ୱ ଦେଇ ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି ।





