ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲାର ଅନେକ ସ୍ଥାନରେ କରୋନା ଆକ୍ରାନ୍ତ ହେଉଥିବା ଅନେକ ବ୍ୟକ୍ତି ପ୍ରଥମେ କୋଭିଡ୍ ଟେଷ୍ଟ କରିବାକୁ ଅମଙ୍ଗ ହେଉଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଛି । ବ୍ୟକ୍ତିମାନେ ଜ୍ୱର, ଥଣ୍ଡା, କାଶ ଲାଗି ରହୁଥିବା ବେଳେ ଲୁଚାଛପାରେ ଔଷଧ ଆଣି ଘରେ ଚିକିତ୍ସା ହେଉଥିବା ବେଳେ କରୋନା ପରୀକ୍ଷା କରିବାକୁ ଭୟ କରୁଥିବା ଜଣାଯାଇଛି । ଫଳରେ ସେମାନେ ଗୁରୁତର ହେବା ପରେ କରୋନା ପରୀକ୍ଷା କରାଇ ପଜିଟିଭ୍ ଚିହ୍ନଟ ହେବା ବେଳକୁ ପରିସ୍ଥିତି ଅଣାୟତ ହୋଇ ପଡ଼ୁଛି । ଯାହା ଫଳରେ ରୋଗୀକୁ ହଠାତ୍ ତାଙ୍କ ଘରୁ ସ୍ଥାନାନ୍ତରିତ କରି ଚିକିତ୍ସା ସେବା ଯୋଗାଇ ଦେବା ବେଳକୁ ରୋଗୀ ଗୁରୁତର ତଥା ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳୁଛି । ସାମାଜିକ କଟକଣାକୁ ଭୟ କରି କରୋନା ପରୀକ୍ଷା ନକରାଇବା କାରଣରୁ ଅନେକ ସ୍ଥାନରେ ଅମୁଲ୍ୟ ଜୀବନ ଚାଲି ଯାଉଥିବାରୁ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ସାମାନ୍ୟ ଥଣ୍ଡା ହେଲେ ମଧ୍ୟ କୋଭିଡ୍ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ଶନିବାର ମଧ୍ୟାହ୍ନରେ ଜିଲ୍ଲାପାଳ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଏହି ପ୍ରସଙ୍ଗ ଉଠାଇବା ସହ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।






