ସଙ୍ଗୀନ ଅଭିଯୋଗରେ ମାମଲା ରୁଜୁ
ନୟାଗଡ଼, (ବାଘୁଆବାର୍ତ୍ତା) : ଗତ ଜୁନ ୧୯ ତାରିଖ ‘ନୟାଗଡ଼ ଜିଲ୍ଲାରେ କାହ୍ନୁ ଆତଙ୍କ, ଲୁଟିଲେଣି କୋଟିଏ !’ ଶୀର୍ଷକ ଏକ ଖବର ବାଘୁଆବାର୍ତ୍ତାରେ ପ୍ରକାଶିତ ହୋଇଥିଲା । ଯାହାକୁ ନେଇ ଖଣି ମାଫିଆଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏହି ଖବର ପ୍ରକାଶର ୪ ମାସ ପରେ ଏବେ କାହ୍ନୁ ନାମରେ ସଂଗୀନ ଅଭିଯୋଗକୁ ନେଇ ଚାନ୍ଦପୁର ଥାନା ଅଧିକାରୀ ରଶ୍ମୀ ରଂଜନ ଦାଶ ମାମଲା ରୁଜୁ କରିଛନ୍ତି । ଦୀର୍ଘଦିନ ଧରି ରଣପୁର ଓ ଚାନ୍ଦପୁର ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ଏହି କାହ୍ନୁ ନାମକ ବ୍ୟକ୍ତି ଚାନ୍ଦପୁର ଅଂଚଳର ପଥରଖଣି ମାଫିଆ ଏବଂ ତହସିଲ କର୍ମଚାରୀଙ୍କ ମଧ୍ୟରେ ଯୋଗସୁତ୍ର ରକ୍ଷା କରି ପଥର ଖଣି ନିଲାମ ହେବାରେ ବାଧକ ସାଜିଛି । ୩ ବର୍ଷ ହେବ ଏହି ଅଂଚଳରେ କୈାଣସି ପଥର ଖଣି ନିଲାମ ନହେବାର ପଛରେ କାହ୍ନୁର ହାତ ଥିବା ଅଭିଯୋଗ ହେଉଛି । ରଣପୁର ତହସିଲ କାର୍ଯ୍ୟଳୟର ଜୈନିକ ଅଧିକାରୀଙ୍କୁ ନିଜର ଗୋଲାମ୍ ବନାଇ କାହ୍ନୁ ପଥର ମାଫିଆଙ୍କ ଭାଇ ସାଜିଥିବା ବେଳେ ଅନେକ ବେକାର ଯୁବତୀଙ୍କୁ ଚାକିରି କରାଇ ଦେବାର ବାହାନା ଦେଖାଇ କୋଟି କୋଟି ଟଙ୍କା ଚୂନ ମାରିଥିବା ଅଭିଯୋଗ ହୋଇଛି । ନିଜକୁ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ଖଣି ଖାଦାନର ରାଜସ୍ୱକୁ ଗିଳି ପକାଉଥିବା ଏହି ବ୍ୟକ୍ତି ଶିକ୍ଷା ବିଭାଗର ଅଧିକାରୀ ସାଜି ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଶୋଷଣ କରୁଥିବାର ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ମାନସିକ, ଶାରିରୀକ ଏବଂ ଆର୍ଥୀକ ଶୋଷଣରେ ପେଷି ହୋଇ କିଛି ବ୍ୟକ୍ତି ଚାନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ଚାନ୍ଦପୁର ଥାନା ପୁଲିସ କାହ୍ନୁ ନାମରେ ୪୨୦ ଦଫାରେ ମାମଲା ରୁଜୁ କରିଥିବା ଆଇଆଇସି ସୂଚନା ଦେଇଛନ୍ତି । ତା ସହିତ ସବୁଠାରୁ ଭୟଙ୍କର କଥା ହେଉଛି କି, ବିଗତ ଦିନରେ ଚାନ୍ଦପୁର ରାଇପଡ଼ାରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ କାର୍ପେଟଦାର କାହ୍ନୁ ବୋଲି ପୁଲିସ ଜାଣିବାକୁ ପାଇଛି । ଉଭୟ ଗୋଷ୍ଠୀକୁ ମାମଲାରୁ ରକ୍ଷା କରିବାର ଲୋଭ ଦେଖାଇ ଏହି ବ୍ୟକ୍ତି ଲକ୍ଷାଧିକ ଟଙ୍କା ଚଳୁ କରିଥିବା ବେଳେ ଗୋଷ୍ଠୀ ସଂଘର୍ଷର ମୁଖ୍ୟ ନିର୍ଦ୍ଦେଶକ କାହ୍ନୁ ବୋଲି ପୁଲିସ ହାତରେ ପ୍ରମାଣ ଲାଗିଛି । ନିଜକୁ ଗୃହ ବିଭାଗ ଆଡିସିନାଲ୍ ସେର୍କେଟେରୀ ବୋଲି ପରିଚୟ ଦେଇ ପୁଲିସକୁ ଭୟଭୀତ କରି ରଖିଥିବା କାହ୍ନୁ ନିଜ ଗାଡ଼ିରେ ଗୃହ ବିଭାଗ ବୋଲି ଲେଖିଥିବା ବେଳେ ଏବେ ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ନିଜ ନାଁ ଲେଖାଇଛି । ଚାନ୍ଦପୁର ପୁଲିସ କାହ୍ନୁକୁ ଧରିବା ପାଇଁ ଜାଲ ବିଛାଉଥିବା ବେଳେ ପ୍ରକୃତରେ ସେହି ଜାଲରେ କାହ୍ନୁ ପଡ଼ିବ ନା ନାଁ ନାହିଁ ତାହା ସମୟ କହିବ ବୋଲି ଅନୁମାନ କରାଯାଉଛି । କାରଣ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କୁ ହାତ କରି କାହ୍ନୁ ନିଜର ଆତଙ୍କର ରାଜ୍ୟ ସୃଷ୍ଟି କରିଛି । ଏଣୁ ଚାନ୍ଦପୁର ପୁଲିସ କାହ୍ନୁକୁ ଗିରଫ କରିବା ପୂର୍ବରୁ ଚାପ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି । ଏଥିସହିତ ନିଜକୁ ନେତା, ମନ୍ତ୍ରୀଙ୍କ ପାଖ ଲୋକ ପରିଚୟ ଦେଇ କାହ୍ନୁ ଯେଉଁ ସ୍ତରରେ ପହଂଚିଛି, ତାହା ଆଗାମୀ ଦିନରେ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି । ଖେଳ ଖତମ ହେଉଛି, ନାଁ ଆଗକୁ ଖେଳ ଦର୍ଶକଙ୍କୁ ବିଭୋର କରୁଛି ତାହା ସମୟ କହିବ ।






