ନୟାଗଡ, (ବାଘୁଆବାର୍ତ୍ତା): ଗତ କାଲି ଅଟୋ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିଲା । ବେପାରୁଆ ଗାଡି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିଲା । ନୂଆଗାଁ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଡ୍ରାଇଭରକୁ ଗିରଫ କରାଯାଇଛି । ସୁଚନାନୁସାରେ ଗତକାଲି ସକାଳ ୮ଟା ସମୟରେ ନୂଆଗାଁ ବାହାଡଝୋଲା ଜାକେଡା ଠାରେ ଏଭଳି ଦୁର୍ଘଟଣା ହୋଇଥିଲା । ଏକ ଅଟୋରେ ୧୫ ଜଣ ମହିଳା ଯାଉଥିଲେ । ହଠାତ ଅଟୋଟି ଓଲଟି ପଡିଥିବାରୁ ଜଣଙ୍କର ମୃତ ହୋଇଥିଲା । ମୃତ ଜଣଙ୍କ ହେଲେ ନୂଆଗାଁ ଥାନା ଡୁରୁଙ୍ଗି ଗ୍ରାମର ସୁଧୀର ବେହେରାଙ୍କ ଝିଅ ସୁକାନ୍ତି ବେହେରା । ୧୫ ରୁ ଉର୍ଦ୍ଧ୍ୱ ମହିଳା ଏକ ଡାଲା ଅଟୋରେ ବିଲରେ କାମ କରିବା ପାଇଁ ମଇତମା ଯାଉଥିଲେ । ଦୁର୍ଘଟଣା ସ୍ଥଳରେ ୧୦ ରୁ ଉର୍ଦ୍ଧ୍ୱ ମହିଳା ଗୁରୁତର ଆହତ ହୋଇଥିଲେ । ନୂଆଗାଁ ପୁଲିସ ୧୦୮ ଆମ୍ବୁଲାନ୍ସରେ ଗୁରୁତରଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ସୁକାନ୍ତି ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟ ଆହତ ମାନେ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ନୂଆଗାଁ ପୁଲିସ ପକ୍ଷରୁ କେସ ନଂ-୧୩୮ରେ ମାମଲା ରୁଜୁ କରାଯାଇ ମଇତମାର ସୁଦର୍ଶନ ମହାନ୍ତିଙ୍କ ପୁଅ ଅରୁଣ ମହାନ୍ତିକୁ ପୁଲିସ ଗିରଫ କରି କୋର୍ଟ ଫରୁୱାର୍ଡ କରିଛି । ଏଥି ସହିତ ଅଟୋ ଗାଡ଼ିକୁ ପୁଲିସ ଜବତ କରିଛି ।





