ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ଓଡ଼ିଶାର ପ୍ରତିଥଯଶା ନାଟ୍ୟ ପ୍ରତିଭା, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଗୀତିକାର ତଥା କଳାକାର ଶ୍ରୀ ସାରଦା ପ୍ରସନ୍ନ ନାୟକଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଜି ପୂର୍ବାହ୍ନରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଏକାଡେମୀର ଗୀତିକବିତା ପୁରସ୍କାର ରାଶିକୁ ୨ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇ ଏହି ପୁରସ୍କାରକୁ ସାରଦା ପ୍ରସନ୍ନ ପୁରସ୍କାର ନାମରେ ନାମିତ କରାଯାଇଥିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ଘୋଷା କରାଯାଇଥିଲା । ତତ୍ବ୍ୟତୀତ ଏହି ମହାନ ପ୍ରତିଭାଙ୍କ ସ୍ମୃତିରେ ନିର୍ମିତ ଏକ ଅଧଘଣ୍ଟିଆ ବୃତ୍ତଚିତ୍ରକୁ ଦୂରଦର୍ଶନରେ ପ୍ରସାରଣ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ବୃତ୍ତଚିତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷା କେନ୍ଦ୍ରର ସହଯୋଗରେ ପ୍ରସ୍ତୁତ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ, ସଂଗୀତ ନାଟକ ଏକାଡେମୀର ସଭାପତି ତଥା ଅତିରିକ୍ତ ଶାସନ ସଚିବ ଡ. ରାମକୃଷ୍ଣ ସାହୁ, ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ, ଗୁରୁ କେଳୁଚର ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଂଗୀତା ଗୋସାଇଁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।





