ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଏବେ ଭୟାନକ ସ୍ଥିତିରେ ପହଂଚି ସାରିଛି । ଏଭଳି ସ୍ଥିତିକୁ ଏଡ଼ାଇବା ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା ସୃଷ୍ଟି କରିଛି । ଯେତେ ଲୁଚାଇଲେ ମଧ୍ୟ କରୋନା ସ୍ଥିତିର ଭୟାବହତା ବେଶ ବାରି ହେଇ ପଡ଼ୁଛି । ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଲୋକଙ୍କ ଜୀବନ ଚାଲି ଯାଉଥିବା ବେଳେ ପ୍ରଶାସନ କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଥିବା କାର୍ଯ୍ୟକଳାପରୁ ବାରି ହୋଇପଡ଼ୁଛି । ଆଜିଠାରୁ ଦଶପଲ୍ଲା ମହାବୀର ବଣିକ ମହାସଂଘ ଡାକରାରେ ଦଶପଲ୍ଲା ବଜାର ବନ୍ଦ ହୋଇଥିବା ବେଳେ ଖଣ୍ଡପଡ଼ା ଏନ୍ଏସିକୁ ୭ ଦିନ ପାଇଁ ସଟ୍ଡାଉନ୍ କରାଯାଇଥିବା ଜଣାଯାଇଛି । ଖଣ୍ଡପଡ଼ା ଏନ୍ଏସି ଏବଂ ତହସିଲ ପକ୍ଷରୁ ଆଜି ଅପରାହ୍ନ ୪ ଘଟିକାରୁ ସଟ୍ଡାଉନ୍ କରିବା ନେଇ ଖଣ୍ଡପଡ଼ାରେ ପ୍ରଚାର କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି ।





