ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟବର୍ତ୍ତୀ ରଙ୍ଗମାଟିଆ ଢାବା ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫୁଲବାଣୀରୁ କରୋନା ରୋଗୀଙ୍କୁ ନେଇ ଭୂବନେଶ୍ୱର ଆସୁଥିବା କୋଭିଡ୍ ଆମ୍ବୁଲାନ୍ସ ସହ ଏକ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ଯୁବକ ଜଣଙ୍କ ବାଇକ ସହ ଜଳି ଯାଇଛନ୍ତି । ଏହି ଦୁର୍ଘଟଣାରେ ଅଦ୍ଧଦଗ୍ଧ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଯୁବକ ଜଣଙ୍କ ଭୂବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ଶବରକଲୋନୀ ଦେବରାଜ ନାୟକଙ୍କ ପୁଅ ଅନୁରାଗ ନାୟକ ବୋଲି ଜଣାଯାଇଛି । ଅନ୍ୟପକ୍ଷେ, କୋଭିଡ୍ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ରୋଗୀକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।





