ନୟାଗଡ଼, (ବାଘୁଆବାର୍ତ୍ତା): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ରାଜ୍ୟ ଆଶା ସାଥୀ ସଂଘ ତରଫରୁ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ, ଜାତୀୟ ସ୍ଥାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ନିକଟକୁ ୮ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଆଶାସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ମାସିକ ୬ ହଜାର ଟଙ୍କା ପ୍ରଦାନ, ୟୁନିଫର୍ମ ଲାଗୁ କରିବା, କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇ ତାଲିମ ପ୍ରଦାନ, ୧୩ ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରୁଥିବାରୁ ବୀମା ଏବଂ ମୃତ୍ୟୁ କାଳୀନ ସହାୟତା ପ୍ରଦାନ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଲାଗୁ କରିବା, ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବାରୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ଜିଲ୍ଲା ଶାଖା ସଦସ୍ୟ ସୁକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଆଶା ସାଥୀମାନେ ବିକ୍ଷୋଭ ପଦର୍ଶନ କରିଥିବା ଜଣାଯାଇଛି ।





