ଟାଙ୍ଗୀ, (ବାଘୁଆବାର୍ତ୍ତା): ଭୋଜି ପାଇଁ ପକ୍ଷୀ ଶିକାର କରି ଫେରୁଥିବା ବେଳେ ସୁଭଦ୍ରାପୁର ଘେରି ନିକଟରେ ବନ୍ୟପ୍ରାଣୀ ବିଭାଗ ଅତର୍କିତ ଚଢାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଶିକାରୀ ଘଟଣା ସ୍ଥଳରୁ କୌଶଳକ୍ରମେ ଫେରାର୍ ହୋଇଯାଇଛି । ସେମାନଙ୍କ ନିକଟରୁ ୧୩ଟି ମୃତ କାମ ପକ୍ଷୀ ଓ ୧ଟି ମୃତ ଜଳ କୁକୁଡ଼ା ପକ୍ଷୀ ଜବତ କରାଯାଇଛି । ପକ୍ଷୀ ଶିକାର ବନ୍ଦ କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲେ ମଧ୍ୟ ଶିକାରୀ ମାନଙ୍କ ଉପରେ ସାମାନ୍ୟତମ ପ୍ରଭାବ ପଡୁନଥିବା ଲକ୍ଷ୍ୟ କରାଯାଉଛି । ଗତକାଲି ସନ୍ଧ୍ୟା ବେଳେ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଭୁଷଣ୍ଡପୁର ସେକ୍ସନର ସୁଭଦ୍ରାପୁର ଘେରି ନିକଟରେ କିଛି ଶିକାରୀ ପକ୍ଷୀ ଶିକାର କରି ଫେରୁଥିଲେ ।
ଏସମ୍ପର୍କରେ ବିଶେଷ ସୁତ୍ରରୁ ଖବର ପାଇବା ପରେ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ବିରାଜ ଦାଶଙ୍କ ସମେତ ଭୁଷଣ୍ଡପୁର ସେକ୍ସନ ବନପାଳ ସବିତା ପ୍ରଧାନ, ଜଗୁଆଳି ପ୍ରଦୀପ ସେଠୀ, ରାକେଶ ଖଣ୍ଡାୟତରାୟ ପ୍ରମୁଖ ସଦଳବଳେ ଚଢ଼ାଉ କରି ଘଟଣା ସ୍ଥଳରୁ ୧୪ଟି ମୃତ ପକ୍ଷୀ ଜବତ କରିବା ସହ ୨ ଜଣ ଶିକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଏ ସଂକ୍ଳାନ୍ତରେ ବନ୍ୟପ୍ରାଣୀ ବିଭାଗ ତରଫରୁ ଓଆର ୦୭/୨୪ ରେ ଏକ ମକଦ୍ଦମା ରୁଜୁ କରାଯାଇ ଆସାମୀ ଗଡିଶାଗୋଦା ଥାନା ଅନ୍ତର୍ଗତ ଦେଇପୁର ଗ୍ରାମର ସନ୍ତୋଷ ପଲାଇ (୨୪ ବର୍ଷ) ଏବଂ ଟୁଲୁ ପଲାଇ (୨୭ ବର୍ଷ) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ବିରାଜ ଦାଶ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଅନ୍ୟତମ ଶିକାରୀ ବିପିନ ପଲାଇଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ପ୍ରକାଶ କରିଛନ୍ତି । ପକ୍ଷୀ ଶିକାର ପାଇଁ ବନ୍ୟପ୍ରାଣୀ ଆଇନ୍ରେ ଥିବା କୋହଳ ଦଣ୍ଡ ବିଧାନର ଫାଇଦା ଉଠାଇ ପକ୍ଷୀ ଶିକାରୀ ମାନେ ବାରମ୍ବାର ଏଭଳି ଘୃତ୍ୟ କାର୍ଯ୍ୟରେ ଲିପ୍ତ ରହୁଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି ।





