ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ଦଶପଲ୍ଲା ବ୍ଲକରେ ଏହା ଭୟଙ୍କର ଋପ ଧାରଣ କରିଛି । ଦଶପଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ପରିମାଣରେ ବୃଦ୍ଧି ପାଉଛି, ସେହି ତୁଳନାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ଘଟୁଛି । ଏହି ବ୍ଲକ କରୋନା ତଥା ଜ୍ୱର କାରଣରୁ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଏବେ ସୁଦ୍ଧା ମୃତ୍ୟୁ ଘଟି ସାରିଥିବା ବେଳେ ଦଶପଲ୍ଲା ଏନ୍ଏସିରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଗତକାଲି ମହାବୀର ବଣିକ ମହାସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏନ୍ଏସି ଅଂଚଳରେ ରହିଥିବା ସମସ୍ତ ଦୋକନ ବଜାରକୁ ୭ ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବଣିକ ମହାସଂଘ ସଭାପତି ସନ୍ତୋଷ କୁମାର ପଣ୍ଡା ଏବଂ ସଂପାଦକ ଜାରି କରିଥିବା ଚିଠି ଅନୁସାରେ, କରୋନା ମହାମାରୀରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ଏବଂ ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବା ପାଇଁ ୧୫ ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଏହି ଦିନରେ କେବଳ ଔଷଧ, ଗ୍ୟାସ ଏବଂ ପ୍ରେଟୋଲ ପମ୍ପ ଖୋଲା ରହିବ ବୋଲି ଜଣାଯାଇଛି । ସେହିଭଳି ଭାବେ ୨୨ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସକାଳ ୬ ଘଟିକାରୁ ଦିନ ୨ ଘଟିକା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ୟବସାୟୀମାନେ ଏହି ନିର୍ଦ୍ଦେଶକୁ ମାନିବାକୁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷେ, ମହାସଂଘର ଏହି ନିଷ୍ପତ୍ତି ବିଷୟରେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ପୁଲିସ ବିଭାଗକୁ ଅବଗତ କରାଯାଇଥିବା ଜଣାଯାଇଛି ।






