ନୟାଗଡ଼, (ବାଘୁଆବାର୍ତ୍ତା) : ସାମ୍ବାଦିକଙ୍କୁ ଫୋନ ଯୋଗେ ଧମକ ଦେବା ଘଟଣାରେ ଦଶପଲ୍ଲା ପୁଲିସ ସମବାୟ ସମ୍ପାଦକ ପ୍ରଦ୍ୟୁଷ ମାଝି ଏବଂ ତାଙ୍କର ସହଯୋଗୀ ରାଜା ବିଶ୍ୱାଳଙ୍କୁ ଥାନାରୁ ନୋଟିସ ଦେଇ ଛାଡିଥିବା ବେଳେ ପୁନର୍ବାର ଆସନ୍ତା ୧୪ ତାରିଖ ଦିନ ହାଜର ହେବା କହିଥିବା ଜଣାଯାଇଛି । ସୂଚନାନୁସାରେ, ଖମାରସାହି ସୋସାଇଟିରେ ସାର ବିକ୍ରୟ ଅନିୟମିତତାକୁ ନେଇ ଖବର ପ୍ରକାଶ ପରେ ସଂମ୍ପାଦକ ଶ୍ରୀ ମାଝୀଙ୍କ ପ୍ରରୋଚନାରେ ଗତ ଅଗଷ୍ଟ ୧୪ ତାରିଖ ଦିନ ରାଜା ବିଶ୍ୱାଳ ଏବଂ ଅନ୍ୟ କିଛି ବ୍ୟକ୍ତି ଦଶପଲ୍ଲା ପ୍ରେସ କ୍ଲବର ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ ଫୋନ କରି ବିଭିନ୍ନ ଧମକ ଦେଇଥିଲେ । ଏସମ୍ପର୍କରେ ଦଶପଲ୍ଲା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏତଲା ରୁଜୁ କରିବା ସହ ଫୋନ୍ ନମ୍ବରକୁ ଟ୍ରାକ୍ କରି ସୁବଳୟା ଗ୍ରାମର ରାଜା ବିଶ୍ୱାଳ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଯେଉଁଥିରେ ସୋସାଇଟିର ସମ୍ପାଦକ ଶ୍ରୀ ମାଝି ଏବଂ ସେ ମିଶି ଏଭଳି କରିଥିବା ସଂପୃକ୍ତ ଯୁବକ ଜଣଙ୍କ ପ୍ରକାଶ କରିବା ପରେ ପୁଲିସ ଶ୍ରୀ ମାଝୀଙ୍କୁ ଥାନାକୁ ଡକାଇଥିଲା । ଏହି ଘଟଣାକୁ ନେଇ ଥାନାରେ ୧୧୯/୨୦ରେ ପୁଲିସ ଏକ ମୋକଦ୍ଦମା ହୋଇଥିବା ବେଳେ କରୋନା ମହାମାରୀ ପାଇଁ ଉଭୟଙ୍କୁ ନୋଟିସରେ ଛାଡିଥିବା ଜଣାଯାଇଛି । ଅନ୍ୟପକ୍ଷେ ଆସନ୍ତା ୧୪ ତାରିଖରେ ପୁନର୍ବାର ଉଭୟ ଥାନାରେ ହାଜର ହେବା ସହ ଯେଉଁ ସମୟରେ କୋର୍ଟ ଆବଶ୍ୟକ କରିବ ସେହି ସମୟରେ କୋର୍ଟରେ ହଜାର ହେବା ପାଇଁ ସର୍ତ୍ତ ଥିବା ଥାନା ସୁତ୍ରରୁ ଜଣାଯାଇଛି । ଅନ୍ୟପକ୍ଷେ, ଏହି ସୋସାଇଟରେ ବ୍ୟାପକ ଦୁର୍ନିତୀ ହୋଇଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଅଂଚଳବାସୀ ଦାବି କରୁଛନ୍ତି ।






