ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ମାଳିସାହି ଫାଣ୍ଡି ଅନ୍ତର୍ଗତ କଞ୍ଚନବେଲି ଗ୍ରାମରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ ଉକ୍ତ ଗ୍ରାମର ବିଜୟ ନାୟକଙ୍କ ପତ୍ନୀ ରଞ୍ଜିତା ନାୟକ । ଆଜି ସକାଳୁ ରଞ୍ଜିତା ସମସ୍ତ ଘରକାମ ଶେଷ କରି ଗାଁରେ ଥିବା ନଣନ୍ଦଙ୍କ ଘରକୁ ଯାଇଥିଲେ । ନଣନ୍ଦଙ୍କ ପରିବାର ଲୋକେ ବାହାରେ ରହୁଥିବାରୁ ଏହି ଘରକୁ ବିଜୟଙ୍କ ପରିବାର ଦେଖାରଖା କରୁଥିଲେ ।
ଦୀର୍ଘ ସମୟ ଧରି ରଞ୍ଜିତା ନଫେରିବାରୁ ତାଙ୍କ ଶାଶୁ ହାର ଦେଇ ଖୋଜି ଖୋଜି ସେଠାରେ ପହଞ୍ଚିବା ବେଳକୁ ରଞ୍ଜିତା ସିଲିଙ୍ଗା ଫ୍ୟାନରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବରପାଇ ପରିବାର ଲୋକ ରଞ୍ଜିତାଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ରଞ୍ଜିତାଙ୍କୁ ମୃତ ଘୋଷଣା କରିବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଇଟାମାଟି ଥାନା ଅନ୍ତର୍ଗତ ଅରାସାହି ଗ୍ରାମର ରମେଶ ନାହାକଙ୍କ ଝିଅ ରଞ୍ଜିତା ୫ ବର୍ଷ ତଳେ ବିଜୟଙ୍କ ସହ ପ୍ରେମ ବିବାହ କରିଥିଲେ ।
ବିଜୟ ଏବଂ ରଞ୍ଜିତା ପରସ୍ପର ଭଲରେ ଚଳୁଥିବା ବେଳେ ବିଜୟ ଖମାରିସାହିଠାରେ ଅବସ୍ଥିତ ପ୍ରେଟୋଲ ଟାଙ୍କିରେ କାମ କରୁଥିଲେ । ବିଭିନ୍ନ ସମୟରେ ଶାଶୁ ଓ ବୋହୁଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । କିଛିଦିନ ତଳେ ଝଗଡ଼ା ଲାଗିବା କାରଣକୁ ନେଇ ବିଜୟ ଓ ରଞ୍ଜିତାଙ୍କ ସହ ମନୋମାଳିନ୍ୟ ହୋଇଥିଲା । ରଞ୍ଜିତାଙ୍କ ପରିବାର ଲୋକ ଆସି ଏହାକୁ ସମାଧାନ କରାଇଥିଲେ । ଆଜି ସକାଳୁ ବିଜୟ ଟାଙ୍କି ଯିବା ପରେ ରଞ୍ଜିତ ନଣନ୍ଦ ଘରକୁ ଯାଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ରଞ୍ଜିତାଙ୍କ ପରିବାର ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।
ପିଟିପିଟି ଝିଅକୁ ମାରି ଦେବା ପରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ସଦରଥାନା ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ମାମଲାରେ ରଞ୍ଜିତାଙ୍କ ସ୍ୱାମୀ ବିଜୟ ନାୟକ, ଶାଶୁ ହାର ଦେଇ ଏବଂ ଶ୍ୱଶୁର ବୈକୁଣ୍ଠ ନାୟକଙ୍କୁ ପୁଲିସ ଅଟକ ରଖି ଛାନଭିନ୍ କରୁଛି । ସଦରଥାନା ଅଧିକାରୀ ଅନିତା ସାହୁଙ୍କ ତତ୍ୱାବଧାନରେ ମାଳିସାହି ପାଣ୍ଡି ଅଧିକାରୀ ରାଜେନ୍ଦ୍ର କହଁର ଘଟଣାର ଛାନଭିନ୍ ଚଳାଇଥିବା ସୂଚନା ମିଳିଛି ।





