ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଶିଁଆପଡ଼ା ଗ୍ରାମ ମାଳିସାହି ଗତକାଲି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ଜଣାଯାଇଛି । ସୂଚନାନୁସାରେ, ଉକ୍ତ ଗ୍ରାମର କ୍ଷେତ୍ରବାସୀ ମହାପାତ୍ର ଏବଂ ଜଗବନ୍ଧୁ ମହାପାତ୍ରଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେବ ଏକ ଠାକୁର ଜମିକୁ ନେଇ ବିବାଦ ରହିଥିଲା । ଏହି ଘଟଣାକୁ ନେଇ ମଙ୍ଗଳବାର ସଂନ୍ଧ୍ୟାରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ପୁଲିସ ଜଗବନ୍ଧୁଙ୍କୁ ଆଣି ଥାନାରେ ଅଟକ ରଖିଥିଲା । ମାତ୍ର ଜଗବନ୍ଧୁଙ୍କ ସଂମ୍ପର୍କୀୟ ବିଳମ୍ବିତ ରାତିରେ କ୍ଷେତ୍ରବାସୀଙ୍କୁ ଘରୁ ଘୋଷାରୀ ଆଣି ଗାଁ ଦାଣ୍ଡରେ ହାଣି ହତ୍ୟା କରିଥିବା ଜଣାଯାଇଛି । ଘଟଣାକୁ ନେଇ ଇଟାମାଟି ଥାନା ଅଂଚଳରେ ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ ଜଗବନ୍ଧୁ ଏବଂ ତାଙ୍କର ଅନ୍ୟ ତିନିଜଣ ସଂମ୍ପର୍କୀୟଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାଯାଇଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ପୁଲିସ ଏହାର ତଦନ୍ତ ଚଳାଇଥିବା ଜଣାଯାଇଛି ।






