ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ରାଜ୍ୟରେ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ନୟାଗଡ଼ ଜିଲ୍ଲାରେ କଳାରେ ୭୨.୩୫ ପ୍ରତିଶତ ପାସ୍ହାର ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୬୭.୪୪ ପ୍ରତିଶତ ପାସ୍ ହାର ରହିଥିବା ଜଣାପଡ଼ିଛି । ନୟାଗଡ଼ ଜିଲ୍ଲାରେ କଳାରେ ମୋଟ ୬ ହଜାର ୫୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରେ ୬ ହଜାର ୫୩୩ ଜଣ ପରୀକ୍ଷା ଦେଇଥିଲେ । ମୋଟ ୫ ହଜାର ୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଘୁନାଥ ସମବାୟ ମହାବିଦ୍ୟାଳୟ କଲେଜ ଟପ୍ପର ହୋଇଥିବା ଛାତ୍ରୀ ମମତା ସାହୁ ୫୧୫ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଥିବା ଜଣାଯାଇଛି । ମମତା ଓଡ଼ଗାଁ ବ୍ଲକ କୋରପୀଠା ଗ୍ରାମର ଭଗବାନ ସାହୁ ଏବଂ ଝୁନୁବାଳା ସାହୁଙ୍କ ଝିଅ ବୋଲି ଜଣାଯାଇଛି । ତାଙ୍କର ସଫଳତାକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱୀନ ନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ପ୍ରଶଂସା କରିଥିବା ଜଣାଯାଇଛି ।





