ନୟାଗଡ଼, (ବାଘୁଆବାର୍ତ୍ତା): କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ(ଆର୍ଡିସି) ଅନୀଲ କୁମାର ସାମଲ ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଗସ୍ତ କରି ଟାଙ୍ଗୀ ଡାକବଙ୍ଗଳାଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ସୂଚନାନୁସାରେ, ଆର୍ଡିସି ଶ୍ରୀଯୁକ୍ତ ସାମଲଙ୍କ ସହିତ ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବସ ଚନ୍ଦ୍ର ରାୟ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଂଜିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିବା ବେଳେ ସକ୍ରିୟ ମାମଲା ଏବଂ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଡିସଙ୍କୁ ସୂଚନା ଦିଆଯାଇଥିଲା । ହୋମ ଆଇସୋଲେସନ କେସ୍ ସଂମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିବା ବେଳେ କେତେ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି ସେ ସଂମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଜିଲ୍ଲାରେ କେତେ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି ସେ ସଂପର୍କରେ ଆର୍ଡିସି ମଧ୍ୟ ଆଲୋଚନା କରିଥିଲେ । ଏହା ସହିତ ନୟାଗଡ଼ରେ ପ୍ରତିଦିନ ପରୀକ୍ଷା କରାଯାଉଥିବା ଆଂଟିଜେନ୍୍ ଓ ଆର.ଟି.ପି.ସି.ଆର ପରୀକ୍ଷା ଉପରେ ଦୈନିକ କେତେ ପରୀକ୍ଷା କରାଯାଉଛି ତାହାର ମଧ୍ୟ ସମୀକ୍ଷା କରିଥିଲେ । ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା କିଭଳି ହ୍ରାସ ଘଟିବ ସେ ନେଇ ଆଲୋଚନା କରିଥିବା ସୂଚନା ମିଳିଛି ।






