ଗୁରୁପୂଜନ ସମାରୋହ ୨୦୨୦
ନୟାଗଡ଼଼, (ବାଘୁଆବାର୍ତ୍ତା) : ପ୍ରତ୍ୟେକ ବର୍ଷ ଭଳି ଚିଳିତ ବର୍ଷ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଗୁରୁପୂଜନ ସମାରୋହ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଜୟନ୍ତୀ ଅବସରରେ ଅନୁଷ୍ଠିତ ଗୁରୁଦିବସରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଦ୍ୱାରା ଆୟୋଜିତ ଗୁରୁପୂଜନ କାର୍ଯ୍ୟକ୍ରମ ଆଜି ଜୁମ ଆପ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ସମ୍ମାନିତ ଅତିଥି ଏବଂ ଅନ୍ୟତମ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ଡି ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ତଥା ସୁସାହିତ୍ୟିକ ଡ. ବିଜୟ କୁମାର ଚୈାଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ସାହୁ, ସମ୍ମାନିତ ଅତିଥି ଶ୍ରୀମତି ଟୁଡୁ ସର୍ବପ୍ରଥମେ ଗୁରୁପୂଜା ପୂର୍ବକ ସମସ୍ତଙ୍କୁ ସମ୍ମାନ ଜଣାଇଥିଲେ । ଏହି ଅବସରେ ଆୟୋଜିତ ଭିସିରେ ମୁଖ୍ୟ ଅତିଥି ଭାରତବର୍ଷରେ ତଥା ଓଡ଼ିଶାରେ ଯେତେ ପରମ୍ପର ତଥା ପର୍ବପର୍ବାଣୀ ରହିଛି, ତା ମଧ୍ୟରେ ଗୁରୁଦିବସ ଗୋଟିଏ ସ୍ୱତନ୍ତ ପର୍ବ ବୋଲି କହିଥିଲେ । ଏଥିସହିତ ପୂର୍ଣ୍ଣାଙ୍ଗ ସମାଜ ପାଇଁ ଗୁରୁଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିଭଳି ସମ୍ମାନିତ ଅତିଥି ଡ. ଟୁଡୁ ଗୁରୁ ଶିଷ୍ୟର ପରମ୍ପରାକୁ ନେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ଯୋଗ ଦେଇଥିଲେ । କରୋନା ମହାମାରୀ ପାଇଁ ଆନୁଷ୍ଠାନିକ ଭାବେ ଏହା ପାଳିତ ହୋଇ ପାରିନଥିବାରୁ ଗୁରୁମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ସେମାନଙ୍କ ପାଖକୁ ଉତ୍ତରୀୟ ପଠାଯାଇଥିବା ଜଣାଯାଇଛି ।






