ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଡ୍ରେନ୍ ଭିତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଭୁବନେଶ୍ବର ଭରତପୁର ଥାନା ଅଧୀନ ନାକା ଗେଟ୍ ସମ୍ମୁଖରେ ଥିବା ଡ୍ରେନ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ବୟସ ୩୦ରୁ ୩୫ ବର୍ଷ ହୋଇଥିବା ଅନୁମାନ କରାଯାଉଥିବା ବେଳେ କେହି ହତ୍ୟା କରି ଏଭଳି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ସୂଚନା ଅନୁସାରେ, ଭୁବନେଶ୍ୱର ନାକା ଗେଟ୍ ନିକଟରେ ଥିବା ଏକ ଡ୍ରେନ୍ ଭିତରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ ଲୋକେ। ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ କେଉଁ କାରଣରୁ ହତ୍ୟା କରାଯାଇଛି ଏବଂ କିଏ ହତ୍ୟା କରିଛି ସେନେଇ ପୋଲିସ ତନାଘନା ଜାରି ରଖିଛି ।





