ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ଦୁଇଟି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ଅପେକ୍ଷା ମହାନଦୀର ଜଳସ୍ତର ଆଜି ବୃଦ୍ଧି ପାଇଥିବାରୁ ଆଜି ମହାନଦୀ କୂଳ ନିକଟବର୍ତ୍ତୀ ଅଂଚଳରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ମଣିଭଦ୍ରାଠାରେ ବିପଦ ସଙ୍କେତର ଏକ ମିଟର ଉପରେ ବନ୍ୟାଜଳ ପ୍ରଭାବିତ ହେଉଥିବା ବେଳେ କଣ୍ଟିଲୋଠାରେ ମଧ୍ୟ ସମାନ ସ୍ଥିତି ରହିଛି । କଣ୍ଟିଲୋଠାରେ ବିପଦ ସଂଙ୍କେତ ଉପରେ ବନ୍ୟାଜଳ ପ୍ରଭାବିତ ହେଉଥିବା ଜଣାଯାଇଛି । କଣ୍ଟିଲୋ ନିକଟବର୍ତ୍ତୀ ମାଧପୁର ଏବଂ ଆଖପାଖ ଗ୍ରାମ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ଜରୁରିକାଳୀନ ସ୍ଥିତି ମୁକାବିଲା ନେଇ ଗଣିଆ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକର ବ୍ଲକ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ତିନୋଟି ବ୍ଲକର ବିଡିଓ ଏବଂ ତହସିଲଦାରଙ୍କ ସହ ଭିସି ମାଧ୍ୟମରେ ପ୍ରତ୍ୟେକ ଘଟଣାବଳୀ ଉପରେ ଆଲୋଚନା କରିବା ସହ ନଜର ରଖିଥିବା ଜଣାଯାଇଛି । ଅନ୍ୟପକ୍ଷେ, ଜିଲ୍ଲାରେ ବର୍ଷା କମିଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ଜଣାଯାଇଛି । ଛୋଟ ନଦୀ ଗୁଡ଼ିକରେ ପାଣି କମିଥିବାରୁ ତଳିଆ ଅଂଚଳରେ ସୃଷ୍ଟି ହେବାକୁ ଥିବା ଭୟାବହ ବନ୍ୟା ପରିସ୍ଥିତିର ଆଶଙ୍କା କମ ରହିଛି । ମାତ୍ର ମହାନଦୀ ନିକଟବର୍ତ୍ତୀ ଅଂଚଳରେ ଏହା ଏବେ ବି ଚିନ୍ତା ଜନକ ସ୍ଥିତିରେ ରହିଛି ।






