ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ବଡ଼ ଅଘଟଣ । ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକଙ୍କ ଅବସ୍ଥା ସାଙ୍ଘାତିକ ଥିବାରୁ ଭୁବନେଶ୍ୱର ରେଫର କରାଯାଇଛି । ସୁଚନାନୁସାରେ ଆଜି ମଧ୍ୟାହ୍ନ ୨ଘ.୩୦ ମିନିଟ୍ ସମୟରେ ନୟାଗଡ଼ ପୌରାଞ୍ଚଳ ୫ ନଂ ୱାର୍ଡ ବଡ଼ ହରିଜନ ସାହିର ମୋହନ ମାହାରଙ୍କ ପୁଅ ଜ୍ୟୋତି ମାହାରଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି ।
ନୟାଗଡ଼ ମେଡିକାଲ ପଛପଟେ ଥିବା ସନ୍ ଆପୋଲ ଅଲ୍ଟ୍ରା ସାଉଣ୍ଡ ସାମ୍ନାରେ ଏଭଳି ଘଟଣା ଘଟିଛି । ନୟାଗଡ଼ ଟାଉନ ଥାନା ପୁଲିସ ଖବର ପାଇ ଆକ୍ରମଣର ଶିକାର ହୋଇଥିବା ଜ୍ୟୋତିଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ତାଙ୍କ ମୁଣ୍ଡକୁ ଇଟା ସାହାଯ୍ୟରେ ଆକ୍ରମଣ କରାଯାଇଥିବାରୁ ସେ ଗୁରୁତର ହୋଇଛନ୍ତି । ଅବସ୍ଥା ଅତି ଶୋଚନୀୟ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ନୟାଗଡ଼ ପୁଲିସ ପକ୍ଷରୁ ତଦନ୍ତ କରି ଜଣେ ବ୍ୟକ୍ତିକୁ ଥାନାରେ ଅଟକ ରଖିଛନ୍ତି ।





