ନୟାଗଡ଼, (ବାଘୁଆବାର୍ତ୍ତା) : ଇଟାମାଟି ଥାନା ଅଂଚଳରେ ଏକତରଫା ପ୍ରେମକୁ ନେଇ ପ୍ରେମୀକା ମାଆକୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ପ୍ରେମୀକଙ୍କୁ ଆଜି ଜେଲ୍ ଯିବାକୁ ପଡ଼ିଛି । ସୂଚନାନୁସାରେ, ଏହି ଥାନା ଅଂଚଳର ସାଗର ନାୟକ ନାମକ ଜଣେ ଯୁବକ ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିବା ବେଳେ ଛାତ୍ରୀ ଜଣଙ୍କ ଏଭଳି କଥାକୁ ଅଗ୍ରାହ୍ୟ କରି ଆସୁଥିଲେ । ଯାହାକୁ ନେଇ ସାଗର ଛାତ୍ରୀଙ୍କ ଘରେ ପହଂଚି ଲଙ୍କାକାଣ୍ଡ ସୃଷ୍ଟି କରିଥିଲେ । ଏଥିରେ ଛାତ୍ରୀଙ୍କ ମାଆ ବାଧା ଦେବାରୁ ସାଗର ସାଙ୍ଗରେ ନେଇଥିବା ଏକ ଛୁରୀ ସାହାର୍ଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ । ମହିଳାଙ୍କ ପାଟି ଶୁଣି, ଆଖପାଖ ଲୋକ ସାଗରଙ୍କୁ ଘେରି ଯାଇଥିବା ବେଳେ ଖବରପାଇ ଇଟାମାଟି ପୁଲିସ ଘଟଣାସ୍ଥଳରେ ପହଂଚି ସାଗରଙ୍କୁ ଥାନାକୁ ଆଣିଥିବା ବେଳେ ଛାତ୍ରୀଙ୍କ ପରିବାର ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଛୁରାମାଡ଼ରେ ମହିଳା ଆହାତ ହୋଇଥିବା ବେଳେ ଇଟାମାଟି ପୁଲିସ ଘଟଣାର ତଦନ୍ତ କରି ଯୁବକଙ୍କୁ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ ଯିବାକୁ ପଡ଼ିଛି ।






