ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ +୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଜ୍ଞାନ ଭଳି ବାଣିଜ୍ୟରେ ମଧ୍ୟ ନୟାଗଡ଼ ଜିଲ୍ଲା ସାରା ରାଜ୍ୟରେ ଟପ୍ପର ହୋଇଥିବା ବେଳେ ଜିଲ୍ଲାରେ ଟପ୍ପର ହୋଇଛନ୍ତି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ସିତୁ ବେହେରା । ସେ ୫୬୭ ମାର୍କ ରଖିଥିବା ଜଣାଯାଇଛି । ସେହିଭଳି ଭାବେ ଛାତ୍ରୀ ମନସ୍ମିତା ମହାନ୍ତି ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେ ୫୬୨ ମାର୍କ ରଖିଥିବା ଜଣାଯାଇଛି । ସେହିଭଳି ତୃତୀୟ ସ୍ଥାନରେ ଛାତ୍ରୀ ବର୍ଷାରାଣୀ ସାଥୁଆ ୫୪୪ ମାର୍କ ରଖିଥିବା ଜଣାଯାଇଛି । କେବଳ ଜିଲ୍ଲା ନୁହେଁ ସାରା ରାଜ୍ୟରେ ସିତୁ ଟପ୍ପର ହୋଇଥିବା ବେଳେ ମନସ୍ମିତା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଆଜି ନୟାଗଡ଼ ପାଇଁ ଏହା ୨ଟି ଖୁସି ଆଣି ଦେଇଛି । ଜିଲ୍ଲା ସାରା ରାଜ୍ୟ ପାସ୍ହାରରେ ଆଗୁଆ ରହିଥିବା ବେଳେ ଜିଲ୍ଲାରୁ ପ୍ରଥମ ସ୍ଥାନ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ରାଜ୍ୟର ପ୍ରଥମ ଓ ଦ୍ୱିତୀୟ ବୋଲି ଜଣାଯାଇଛି । ଏହାକୁ ନେଇ ଜିଲ୍ଲାରେ ଆଜି ଖୁସିର ଲହରୀ ଖେଳି ଯାଇଛି । ସେହିଭଳି ଭାବେ ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ବର୍ଷାରାଣୀ ରାଜ୍ୟରେ ୧୫ ତମ ସ୍ଥାନରେ ରହିଛନ୍ତି ।






