Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏମିତି ଗାଁ, ଯେଉଁଠି ପୂର୍ବପୁରୁଷଙ୍କୁ ନେଇ ଗର୍ବ କରନ୍ତି ଦାୟାଦ

by Anil Panda
August 16, 2020
in Feature News, Nayagarh
ଏମିତି ଗାଁ, ଯେଉଁଠି ପୂର୍ବପୁରୁଷଙ୍କୁ ନେଇ ଗର୍ବ କରନ୍ତି ଦାୟାଦ
840
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ସ୍ୱାଧିନତା ସଂଗ୍ରାମର କଥା ଉଠିଲେ ପ୍ରତ୍ୟେକ ନୟାଗଡ଼ିଆ ମନରେ ଉଙ୍କିମାରେ ‘ଥୁଆବାରୀ’ ଗ୍ରାମର କଥା । ଏହି ଗ୍ରାମର ଶତାଧିକ ବ୍ୟକ୍ତି ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ନୟାଗଡ଼କୁ ଇତିହାସ ପୃଷ୍ଠାରେ ସାମିଲି କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣ ସ୍ୱାଧିନତା ସଂଗ୍ରାମୀ ଜେଲ ଯାଇଥିବା ବେଳେ ୩ ଜଣ ଜେଲ୍ ଭିତରେ ଶହିଦ୍ ହୋଇଥିଲେ । ଗାଁର ପ୍ରତିଟି ମଣିଷ ନିଜକୁ ସଂଗ୍ରାମୀ ଭାବେ ପରିଚିତ କରାଇଥିବା ବେଳେ ସେମାନେ ଏବେ ପୂର୍ବପୁରୁଷ ଭାବେ ପରିଗଣିତ ହୋଇ ସାରିଛନ୍ତି । ସମସ୍ତ ସଂଗ୍ରାମୀ ଇହଳୀଳା ସମ୍ବରଣ କରି ସାରିଥିବା ବେଳେ ଏବେ ସେମାନଙ୍କ ସଂଗ୍ରାମକୁ ନେଇ ତାଙ୍କ ଦାୟାଦମାନେ ଗର୍ବ ଅନୁଭବ କରୁଛନ୍ତି । ସରକାର ଏହି ଗ୍ରାମ ପ୍ରତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିନଥିବା ବେଳେ ସଦରମହକୁମାଠାରୁ ମାତ୍ର ୧୪ କିଲୋମିଟର ଦୂରରେ ରହିଥିବା ଏହି ଗାଁ ଆଜି ବି ଅବହେଳିତ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଥୁଆବାରୀ ଗାଁର ଅନେକ ବ୍ୟକ୍ତି ସଂଗ୍ରାମ କରି ଭାରତମାତାକୁ ଇଂରେଜମାନଙ୍କ କବଳରୁ ଛଡାଇ ଆଣିବାକୁ ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଧକାଂଶ ବ୍ୟକ୍ତି ଜେଲଦଣ୍ଡ ଭୋଗିବା ସହ ଅକଥନୀୟ ନିର୍ଯ୍ୟାତନାର ଶିକାର ମଧ୍ୟ ହୋଇଥିଲେ । କଣ୍ଡୁରୀ ପରିଡ଼ା ୧୯୩୬ ମସିହାରେ ପ୍ରଜାମଣ୍ଡଳରେ ସାମିଲ୍ ହୋଇ ସକ୍ରୀୟ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ଗ୍ରାମରେ ରୋପଣ କରିଥିଲେ ଦେଶମୁକ୍ତି ଆନ୍ଦୋଳନର ବୀଜ । ପୁରୀ ଜିଲ୍ଲା ଡେଲାଙ୍ଗକୁ ଯେତେବେଳେ ଗାନ୍ଧି ଆସି ଦେଶ ସ୍ୱାଧିନ କରିବାକୁ ସଭା କରିଥିଲେ । ସେହି ସମୟରେ ଗାଁର କଣ୍ଡୁରି ପରିଡ଼ା ଉକ୍ତ ସଭାକୁ ଯାଇ ଗାନ୍ଧୀଙ୍କ ଭାଷଣରେ ଅନୁପ୍ରାଣିତ ହୋଇ ଗାଁ ଫେରିଥିଲେ । କଣ୍ଡୁରୀ ପରିଡ଼ା ଆହ୍ୱାନକ୍ରମେ ଥୁଆବାରୀ ଗ୍ରାମର ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ବ୍ୟକ୍ତି ସ୍ୱାଧିନତା ସଂଗ୍ରାମରେ ଯୋଗଦେଇ ଇଂରେଜ ଶାସନ ବିରୁଦ୍ଧରେ ସୃଷ୍ଟି କରିଥିଲେ ଭୟଙ୍କର ବିପ୍ଲବ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ଥୁଆବାରୀ ଗ୍ରାମବାସୀଙ୍କ ଡାକରାରେ ନୂଆଗାଁ ଓ ବାହାଡ଼ାଝୋଲା ଅଞ୍ଚଳର ଆଦିବାସୀ ମାନେ ମୁଣ୍ଡ ଟେକିଥିଲେ । ଦେଶକୁ ସ୍ୱାଧିନ କରିବା ପାଇଁ ଇଂରୋଜ ମାନଙ୍କ ବିରୋଧରେ ସଂଗ୍ରାମ କରିବା ଡାକରାରେ ଗ୍ରାମବାସୀ ଏକତ୍ର ହୋଇ ଗାଁ ଛାଡିଥିଲେ । ଗ୍ରାମର ବୁଧି ପରିଡା, ହଜାରୀ ସ୍ୱାଇଁ, ବୁଧି ସ୍ୱାଇଁ, ଭଗି ନାଏକ, ରଫୁ ସାହୁ, ବିଶ୍ୱନାଥ ନାଏକ, ଗାଣ୍ଡୁସାହୁ, ଲିଙ୍ଗା ନାଏକ, ଛାଟିଆ ସାହୁ, ଦଣ୍ଡୁ ନାଏକ, ଦନେଇ ସେଠୀ, ରୁଷି ନାଏକ, କହ୍ନେଇ ସେଠୀ, ସନେଇ ନାଏକ, ହରି ନାହାକ, ହଜାରୀ ସାହୁ, ଲିଙ୍ଗା ନାହାକ, ଭଲା ସେଠୀ, ଗଦେଇ ସେଠୀ, ଲଡୁ ନାହାକ, ଖତି ସାହୁ, ବାଳକୃଷ୍ଣ ସ୍ୱାଇଁ, କହ୍ନେଇ ନାହାକ, ସୁଦର୍ଶନ ସ୍ୱାଇଁ, ପୁନିଆ ନାହାକ, ଦଣ୍ଡୁ ସାହୁ, ଅରକ୍ଷିତ ସାହୁ, ବୈରାଗୀ ନାଏକ, ଗୁରୁବାରୀ ସାହୁ, ବୁଲା ନାଏକ, ଜଗା ନାଏକ, ସପନି ସାହୁ, ବାହାଦୁର ନାଏକ, ଦନେଇ ସାହୁ, ସମ୍ବାରି ନାଏକ, ହରିସାହୁ, ଲଛମନ ସାହୁ, ଗଦାଧର ସାହୁ, ପ୍ରହଲ୍ଲାଦ ସ୍ୱାଇଁ, ରାମ ସାହୁ, ଦଣ୍ଡୁ ପରିଡା, ବୁଲା ସେଠୀ, ଗଦେଇ ପରିଡା, ବିଶ୍ୱନାଥ ସେଠୀ, ଭଜି ପରିଡା, ଖଲି ପରିଡା, ବାଟି ପରିଡା, ଅରଖିତ ସାହୁ, ଦାଶ ପରିଡା, ପ୍ରମୂଖ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ । ସଂଗ୍ରାମୀମାନେ ଗୁମ୍ମୀର ବରକୋଳା ବଙ୍ଗଳା ଘେରାଉ ଭଙ୍ଗାରୁଜା କରିଥିବା ବେଳେ ସେଠାରୁ ଆସି ନୂଆଗାଁ ଥାନାରେ ଅଗ୍ନି ସଂଯୋଗ କରି ପୋଲିସକୁ ମାଡ଼ ମାରିଥିଲେ । ଇଂରେଜ ସରକାର ଦ୍ୱାରା ପରିଚାଳିତ ପୁଲିସ ସେବାକୁ ବିପର୍ଯ୍ୟସ୍ତ କରିବା ପାଇଁ ସଂଗ୍ରାମୀମାନେ ଟେଲିଫୋନ୍ ତାର କାଟି ଚାରିପଟୁ ଜଗି ରହିଥିଲେ । ତତ୍କାଳୀନ ଦାରୋଗା ବେଣୁଧର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଇଂରେଜ ସିପାହୀ ଦଳ ବିଦ୍ରୋହୀ ନେତା ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ଉପରକୁ ଗୁଳି ଚାଳନା କରିବା ସମୟରେ ଗୁଳି ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ଦେହରେ ନ ବାଜି କୁଶୁବିଡ଼ା ଗ୍ରାମର କଷ୍ଟି ଡାକୁଆଙ୍କ ଦେହରେ ବାଜିଥିଲା । ନୂଆଗାଁ ଥାନା ନିକଟରେ ସବୁଦିନ ପାଇଁ ଶହୀଦ୍ ହୋଇ ଯାଇଥିଲେ କଷ୍ଟି ଡ଼ାକୁଆ । ତାଙ୍କ ମୃତ୍ୟୁରେ ଭାଙ୍ଗିନପଡି ସଂଗ୍ରାମକୁ ଆହୁରି ଦ୍ୱିଗୁଣିତ କରିଥିଲେ ଥୁଆବାରୀ ଗ୍ରାମବାସୀ । ଯାହାକୁ ନେଇ ଇଂରେଜ ଦାରେଗା ଥୁଆବାରୀ ଗ୍ରାମର ସଂଗ୍ରାମୀମାନଙ୍କୁ ଜେଲ ଦଣ୍ଡ ଦେଇ କାରଗାରରେ ରଖିଥିଲେ । କାରାଗାରରେ କଣ୍ଡୁରୀ ପରିଡ଼ା, ଦୟା ବେହେରା, ବୁଦ୍ଧି ପରିଡ଼ାଙ୍କୁ ଶାରିରୀକ ନିର୍ଯ୍ୟାତନା ଦିଆଯିବା ସହ ବିଷାକ୍ତ ଔଷଧ ଦ୍ୱାରା ମାରି ଦିଆଯାଇଥିବା ଦାୟାଦ ମାନଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଜେଲ୍ ଭୋଗ କରୁଥିବା ସଂଗ୍ରାମୀ ଲିଙ୍ଗା ନାହାକଙ୍କୁ ଜେଲ୍ ଭିତରେ ଡହଡହ ଖରାରେ ଧାନ ସିଝାଇବା ସହିତ ଦିନ ରାତି କାମରେ ଖଟାଉଥିଲେ । ଶେଷରେ ଲିଙ୍ଗା ନାହାକ ଅନ୍ଧ ହୋଇ ଘରକୁ ଫେରିବାର ଦୁଇଦିନ ପରେ ମୃତ୍ୟୁ ବରଣ କଲେ । ଏହିପରି ଗ୍ରାମର ୬୫ ଜଣ ବ୍ୟକ୍ତି କାରାଗାର ବରଣ କରିବା ସହିତ ଦେଶକୁ ସ୍ୱାଧିନତାର ସ୍ୱାଦ ଚଖାଇବାରେ ସଫଳ ହୋଇଛନ୍ତି । ମାତ୍ର ଏହି ଗାଁ ପାଇଁ ସରକାରଙ୍କ କୈାଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ସଂଗ୍ରାମୀ ଦାୟାଦ ମାନେ ଅଭିଯୋଗ କରିଛନ୍ତି । ୬୫ ଜଣଙ୍କ ମଧ୍ୟରୁ କେତେ ଜଣଙ୍କୁ ସଂଗ୍ରାମୀ ଭତ୍ତା ମିଳୁଥିବା ବେଳେ ଏବେ ମାତ୍ର ଗ୍ରାମର ଜଣେ ସଂଗ୍ରାମୀଙ୍କ ପôତୀ ଜିବିତ ଥିବାରୁ ଭତ୍ତା ପାଉଛନ୍ତି । ସରକାରଙ୍କ ତରଫରୁ ଗ୍ରାମ ପାଇଁ ଗୋଟିଏ ଅବଦାନ କେବଳ ତୋପ ସଲାମୀ ମିଳିଥିବା ଗ୍ରାମବାସୀ କହିଛନ୍ତି । ପ୍ରତ୍ୟେକ ବର୍ଷ ଅକ୍ଟୋମ୍ବର ୧୦ ତାରିଖ ଶହୀଦ୍ ଦିବସରେ ସ୍ମୃତି ସ୍ତମ୍ଭ ନିକଟରେ ତୋପ ସଲାମୀ ଦିଆଯାଉଥିବା ବେଳେ ଶହୀଦ୍ ଦିବସ ପାଳନ ପାଇଁ ୫ କିମ୍ବା ୧୦ ହଜାର ଟଙ୍କା ମିଳୁଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟପକ୍ଷେ, ଏହି ଗ୍ରାମର ପାନୀୟ ଜଳ ମୁଖ୍ୟ ସମସ୍ୟା ପାଲଟିଥିବା ଜଣାଯାଇଛି । ଏଥିସହିତ ଚାଷବାଷ ପାଇଁ ଜଳସେଚନର କୈାଣସି ସ୍ୱତନ୍ତ୍ର ସୁବିଧା ନଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି । ପ୍ରଶାସନ ତରଫରୁ ଦୁଇ ତିନୋଟି ଉଠା ଜଳସେଚନ ବ୍ୟବସ୍ଥା କରାଗଲେ, କିଛି ଫସଲ ଅମଳ ହୋଇପାରନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ, ଏହି ଗ୍ରାମରେ ଆଜି ପର୍ଯ୍ୟନ୍ତ ସବୁ ଲୋକଙ୍କର ପାଇଖାନା ନିର୍ମାଣ ହୋଇନଥିବା ବେଳେ ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଗ୍ରାମର ଫଳକ ଝୁଲାଇ ପ୍ରଶାସନ ଗ୍ରାମବାସୀଙ୍କୁ ଅଟହାସ୍ୟ କରୁଥିବା ଅଭିଯୋଗ ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!