ଭୂବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ୧୫ ଟି ବିଦ୍ୟାଳୟର ପାସ ହାର ଶୂନ ରହିଛି। ଆଜି ଏ ପରିପ୍ରେକ୍ଷୀରେ ରାଜ୍ୟ ଉଚ୍ଚ ମାଧ୍ୟମିକ ପରିଷଦ ଏହି ୧୫ ଟି ବିଦ୍ୟାଳୟ କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଜାରି ହୋଇଥିବା ନୋଟିସରେ ଲେଖା ହୋଇଛି ଜିରୋ ରେଜଲ୍ଟ ହୋଇଥିବା କାରଣରୁ କାହିଁକି ଚଳିତ ବର୍ଷ ଆଡ଼ମିଶନ ବନ୍ଦ କରାଯିବ ନାହିଁ ଏବଂ ମାନ୍ୟତା ହଟାଯିବ ନାହିଁ । ସାତ ଦିନ ଭିତରେ ଉତ୍ତର ରଖିବା ପାଇଁ ଏହି ୧୫ ଟି ବିଦ୍ୟାଳୟ କୁ ନୋଟିସ ଜାରି କରାଯାଇଛି । ଏଠାରେ ସୂଚନାଥାଉ କି ଗତକାଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ କି ସମସ୍ତ ଜିରୋ ରେଜଲ୍ଟ ସ୍କୁଲ କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ରାଜ୍ୟ ଉଚ୍ଚ ମାଧ୍ୟମିକ ପରିଷଦ ତତ୍ପର ହୋଇ ଆଜି କାରଣ ଦର୍ଶାଅ ନୋଟିସ ଜାରି କରିଛି। ଗତକାଲି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ଏଥିରେ ଭଦ୍ରକ ଜିଲାର ନୟନମଣି ୱିମେନ୍ ହାୟର ସେକେଣ୍ଡାରୀ ସ୍କୁଲ, ବଲାଙ୍ଗୀର ଜିଲାର ସୁଶ୍ରୀ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଚୂଡ଼ାପାଲିସ୍ଥିତ ସରକାରୀ (ଏସଏସଡ଼ି) ହାୟର ସେକେଣ୍ଡାରୀ ସ୍କୁଲ, ସୋନପୁରସ୍ଥିତ ପଦ୍ମିନୀ ଦେବୀ ହାୟର ସେକେଣ୍ଡାରୀ ସ୍କୁଲ, ଗଞ୍ଜାମର କୃଷ୍ଣ ଇଣ୍ଟରନେସନାଲ ରେସିଡ଼େନ୍ସିଆଲ ସ୍କୁଲ, ବୃନ୍ଦାବନ ପାଣ୍ଡି ୱିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ, କୋଦଳାର ଏସ୍ଆରବିଡ଼ି ଆବାସିକ ବିଜ୍ଞାନ ହାୟର ସେକେଣ୍ଡାରୀ ସ୍କୁଲ, କଳାହାଣ୍ଡି ଜିଲାର ବିଜୁ ପଟ୍ଟନାୟକ ହାୟର ସେକେଣ୍ଡାରୀ ସ୍କୁଲ (ଗରଗବ), ମୟୂରଭଞ୍ଜ ଜିଲାର ୨ଟି ସ୍କୁଲ ଉପେନ୍ଦ୍ରନାଥ ହାୟର ସେକେଣ୍ଡାରୀ ସ୍କୁଲ ଓ ଉଦଳାର ବ୍ରିଲିଆନ୍ସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଫୁଲବାଣୀର କେ.ବି.ଏଚ୍ ରେସିଡ଼େନ୍ସିଆଲ ସ୍କୁଲ, ଖୋର୍ଧା ଜିଲା ପଟିଆର ସୁବାସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ପୁରୀର ଭିଜନ ରେସିଡ଼େନ୍ସିଆଲ ସ୍କୁଲ, ଝାରସୁଗୁଡ଼ା ଜିଲ୍ଲା କୁମାରବନ୍ଧର ପଞ୍ଚାୟତ ଆଞ୍ଚଳିକ ହାୟର ସେକେଣ୍ଡାରୀ ସ୍କୁଲ, ସୁନ୍ଦରଗଡ଼ ଜିଲ୍ଲା ଗୋବରାର ଆରଆଇଟି ହାୟର ସେକେଣ୍ଡାରୀ ସ୍କୁଲର ଫଳାଫଳ ଶୂନ ରହିଥିଲା ।






