ଚେନ୍ନାଇ, (ବାଘୁଆବାର୍ତ୍ତା): ଆସନ୍ତାକାଲିଠାରୁ IPL 2024 ଆରମ୍ଭ ହେଉଥିବା ବେଳେ ଆଜି ଆସିଛି ଏକ ବଡ଼ ଖବର। ଚେନ୍ନାଇ ସୁପର କିଙ୍ଗସ (CSK)ର ଅଧିନାୟକ ପଦ ଛାଡ଼ିଛନ୍ତି ମହେନ୍ଦ୍ର ସିଂହ ଧୋନି। ସେ ଅଧିନାୟକ ଦାୟିତ୍ୱ ଋତୁରାଜ ଗାଏକ୍ୱାଡଙ୍କୁ ହସ୍ତାନ୍ତର କରିଛନ୍ତି। CSK ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି। CSK ପକ୍ଷରୁ କୁହାଯାଇଛି, ୨୦୧୯ରୁ ଋତୁରାଜ ଚେନ୍ନାଇ ସୁପର କିଙ୍ଗସର ଅବିଚ୍ଛେଦ ଅଙ୍ଗ ହୋଇ ରହିଛନ୍ତି। ଏହି ସମୟ ମଧ୍ୟରେ ସେ ଆଇପିଏଲ୍ରେ ୫୨ଟି ମ୍ୟାଚ୍ ଖେଳିଛନ୍ତି। ଧୋନିଙ୍କ ନେତୃତ୍ୱରେ CSKର ୫ ଥର ଆଇପିଏଲ୍ ଟାଇଟଲ ଜିତିଛି। ୨୦୨୩ ଆଇପିଏଲ ମଧ୍ୟ ଜିତିଥିଲା ସିଏସ୍କେ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସକୁ ହରାଇଥିଲା ଦଳ। ଏହି ବିଜୟ ପରେ ଧୋନି ସ୍ପଷ୍ଟ କରିଥିଲେ ଯେ ସେ ୨୦୨୪ ଆଇପିଏଲ ଖେଳିବେ। ତା’ସହିତ ସେ ଆଇପିଏଲ୍ରୁ ତାଙ୍କ ଅବସର ନେଇ ହେଉଥିବା ଆଲୋଚନାର ଅବସାନ ଘଟାଇଥିଲେ। ୨୦୨୦ ଅଗଷ୍ଟ ୧୫ ତାରିଖରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୦୭ ଟିଟ୍ୱେଣ୍ଟି ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।






