ସଫଳତା ପାଇଥିବା ଛାତ୍ରୀଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶୁଭେଚ୍ଛା
ନୟାଗଡ଼, (ବାଘୁଆବାର୍ତ୍ତା): ସାରା ରାଜ୍ୟରେ ଆଜି +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ନୟାଗଡ଼ ଜିଲ୍ଲା ୮୬.୫୧ ପ୍ରତିଶତ ପାସ୍ହାର ରହିବା ସହ ନୟାଗଡ଼ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଅବସରରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖି ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ଉମେଶ ଦାଶ ୫୪୬ ନଂ ରଖି ସାରା ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଏନେଇ ସେ ଅଧ୍ୟାପିକା ଓ ଅଧ୍ୟାପକ ଏବଂ ସବୁ ଗୁରୁଜନ ମାନଙ୍କୁ ସଫଳତାର ଶ୍ରେୟ ଦେବେ ବୋଲି କହିଛନ୍ତି । ଆଗାମୀ ଦିନରେ କୃଷି ଶିକ୍ଷା ଗ୍ରହଣ କରିବାକୁ ସେ ଲକ୍ଷ ରଖିଥିବା କହିଛନ୍ତି । ସେହିଭଳି ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ୱାତୀ ପ୍ରକୃତି ଦାଶ । ସ୍ୱାତୀ ୫୪୧ ନଂ ରଖିଛନ୍ତି । ଏନେଇ ସେ ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ସହ ବାପା ମାଆ, ଭାଇଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ଆଗାମୀ ଦିନରେ ଡାକ୍ତରୀ ପଢ଼ିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ଅନ୍ୟପକ୍ଷେ, ଜିଲ୍ଲା ରାଜ୍ୟ ସ୍ତରରେ ପ୍ରଥମ ହୋଇଥିବାରୁ ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସଫଳତା ପାଇଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ମନ୍ତ୍ରୀ ଡ. ସାହୁ ସୋସିଆଲ ମିଡିଆରେ ଲେଖିବା ସହ ଆମ ପାଇଁ ବଡ଼, ଆମ ନୟାଗଡ଼ ବୋଲି ଲେଖିଛନ୍ତି ।






