୨୫୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆଜି ନୟାଗଡ଼ ଶିକ୍ଷା ସମୂହ ସଂଗଠନ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଜୁମ ଆପ୍ ଦ୍ୱାରା ଆୟୋଜିତ ଭିସି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ଡ. ସମୀର ରଂଜନ ଦାଶ, ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବଟକୃଷ୍ଣ ମହାପାତ୍ର ସଭାପତିତ୍ୱ କରିଥିଲେ । ଏହି ଭିସି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଶାଇ ମୋଟ ୩୮୦ ଜଣ ଯୋଗ ଦେଇଥିଲେ । ନିକଟରେ ମାଟ୍ରିକ ପରୀକ୍ଷାରେ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେମାନଙ୍କ ଘରକୁ ମାନପତ୍ର ଏବଂ ପୁରସ୍କାର ପହଂଚାଯିବ ବୋଲି ଜଣାଯାଇଛି । ଅନ୍ୟପକ୍ଷେ, ଏହି ଅବସରରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାଶ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଫଳ ବିଷୟରେ ପଚାରି ବୁଝିବା ସହ ସଫଳତାର ପଛରେ ରହିଥିବା ପ୍ରରିଶ୍ରମ ଏବଂ ଅଭିଭାବକ ଓ ଗୁରୁଜନ ଚେଷ୍ଟାକୁ ସାଧୁବାଦ ଜଣାଇଥିଲେ । ସେହିଭଳି ଭାବେ ମୁଖ୍ୟବକ୍ତ ଡ. ସାହୁ ଛାତ୍ରଛାତ୍ରୀମାନେ ଆଗକୁ ଆହୁରି କଠିନ ପରିଶ୍ରମ କରି ମାଟି ମା’ର ସେବା କରିବାକୁ ଆହ୍ୱାନ ଦେଇଥିଲେ । ସବୁବର୍ଷ ଏହି କାର୍ଯ୍ୟକ୍ରମ ଧୁମଧାମରେ ପାଳନ କରାଯାଉଥିବା ବେଳେ ଚଳିରବର୍ଷ କରୋନା ମହାମାରୀ ପାଇଁ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରଯାଇଛି ।






