ନୟାଗଡ଼,(ବାଘୁଆବାର୍ତ୍ତା): ଚାଷୀଙ୍କ ଜମିରେ ବୋରୱେଲ୍ ଖୋଳିବା ପାଇଁ ଲାଞ୍ଚ ଦେଣନେଣ ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଉଠାଜଳସେଚନ ବିଭାଗ ଯନ୍ତ୍ରୀ ଏବଂ ମଧ୍ୟସ୍ଥି ସାଜିଥିବା ଠିକାଦାର । ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି । ଯନ୍ତ୍ରୀଙ୍କ ଭଡ଼ାଘର ଓ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି । ଗିରଫ ଯନ୍ତ୍ରୀ ହେଲେ ନୟାଗଡ ଉଠାଜଳସେଚନ ବିଭାଗର ଜେଇ ଗୋପବନ୍ଧୁ ବୋଇତାଇ ଏବଂ ଠିକାଦାର ଶ୍ରୀକାନ୍ତ ପତି । ବୋରୱେଲ୍ ଖୋଳିବା ପାଇଁ ଠିକାଦାର ମାଧ୍ୟମରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ତାଙ୍କୁ ଧରିବାରେ ସଫଳ ହୋଇଛି । ରଣପୁର ଅଞ୍ଚଳର ଚାଷୀ ମନୋରଞ୍ଜନ ଦାସ ନିଜ ଜମିରେ ବୋରୱେଲ୍ ଖୋଳିବା ପାଇଁ ନୟାଗଡ ଉଠାଜଳସେଚନ ବିଭାଗରେ ଆବେଦନ କରିଥିଲେ । ଏଥିପାଇଁ ବିଭାଗୀୟ ଅନୁମତି ମିଳିବା ପରେ ମନୋରଞ୍ଜନ ୨୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ତେବେ ବୋରୱେଲ୍ ଖୋଳିବା ପାଇଁ ଠିକାଦାର ଶ୍ରୀକାନ୍ତଙ୍କ ମାଧ୍ୟମରେ ମନୋରଞ୍ଜନଙ୍କୁ ଜେଇ ଗୋପବନ୍ଧୁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ମନୋରଞ୍ଜନ ନୟାଗଡ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଜି ଜେଇଙ୍କ ଅଫିସରେ ମନୋରଞ୍ଜନଙ୍କ ଠାରୁ ଠିକାଦାର ଶ୍ରୀକାନ୍ତ ୯ ହଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲା । ଭିଜିଲାନ୍ସ ୯ ହଜାର ଟଙ୍କା ଜବତ କରିବା ସହ ଉଭୟ ଜେଇ ଏବଂ ଠିକାଦାରଙ୍କୁ ଗିରଫ କରିଛି । ଜେଇ ଗୋପବନ୍ଧୁଙ୍କ ଅଫିସ , ନୟାଗଡର ଭଡାଘର ଏବଂ ଯାଜପୁରର ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।





