ଖଣ୍ଡପଡ଼ା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ଅଂଚଳ ଦେଇ ପ୍ରବାହିତ କୁସୁମୀନଦୀର ପ୍ରଖର ସ୍ରୋତରେ ଭାସିଯାଇ ଖଣ୍ଡପଡା ସହରାଚଂଳ ୮ନଂ ୱାର୍ଡ ଅଧିନ ତଁଳାସାହିର ଯୁବକ ଲୋକନାଥ ନାଏକ(୩୫) କେଉଁଆଡେ ନିଖୋଜ ହୋଇଯାଇଥିବା ନେଇ ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡିଛି । ରବିବାର ଅପରାହ୍ନ ୪ଟା ସମୟରେ ଲୋକନାଥ ନଦୀକୁ ସ୍ନାନ, ଶୈାଚାଦି କାର୍ଯ୍ୟ ସମାପନ ପାଇଁ ଯାଇଥିବା ବେଳେ ଦୁଃର୍ଭାଗ୍ୟବଶତଃ ଗୋଡ଼ ଖସିଯିବାରୁ ନଦୀପାଣିରେ ବୁଡ଼ି ଯାଇଥିବା ନେଇ ନଦୀତଟରେ ସ୍ନାନ କରୁଥିବା କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ଖବରପାଇ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା ରବିବାର ସନ୍ଧ୍ୟା ସୁଦ୍ଧା କୁସୁମୀ ନଦୀ ତଟର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ନିଖୋଜ ଯୁବକଙ୍କ ସଂପର୍କରେ କୈାଣସି ଟେର ପାଇପାରିନଥିଲେ । ତେବେ ଖବରପାଇ ଖଣ୍ଡପଡ଼ା ଓ ଭାପୁର ଅଗ୍ନିଶମ କର୍ମଚାରୀ ଟିମ୍, ଓଡ୍ରାଫ୍ ଟିମ ସୋମବାର ଦିନତମାମ ଏକ ବୋଟ ସହାୟତାରେ କୁସୁମୀ ନଦୀରେ ଖୋଜାଖୋଜି କରିଥିଲେ ହେଁ ନିଖୋଜ ଯୁବକଙ୍କର କୈାଣସି ସନ୍ଧାନ ମିଳି ପାରିନଥିବା ଜଣାପଡିଛି । ଅପରପକ୍ଷେ ନିଖୋଜ ଯୁବକଙ୍କ ବିଧବା ମା ଶଶିମଣି ଦେଇ ପୁଅର ନିଖୋଜ ନେଇ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗକ୍ରମେ ଖଣ୍ଡପଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପରିବାରର ଏକମାତ୍ର ରୋଜଗାରକ୍ଷମ ଯୁବକଙ୍କ ନିଖୋଜକୁ ନେଇ ପରିବାରବର୍ଗ ସଂପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଏବେ ଆଶା, ଆଶଙ୍କାରେ ଦିନ କାଟୁଥିବା ଜଣାଯାଇଛି । ଏଭଳି ଅସମୟରେ ଅସହାୟ ପରିବାରବର୍ଗଙ୍କୁ ପ୍ରଶାସନ ସହଯୋଗର ହାତ ବଢାଇବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି । ଗତବର୍ଷ ମଧ୍ୟ ଏହି ନଦୀରେ ଜଣେ ଯୁବକ ଭାସି ଯାଇଥିଲେ ।





