ନୟାଗଡ଼, (ବାଘୁଆବାର୍ତ୍ତା) : ଖୋର୍ଦ୍ଧା ଅଞ୍ଚଳରେ ଅସହାୟ ଅବସରପ୍ରାପ୍ତ ବୃଦ୍ଧ ଶିକ୍ଷକଙ୍କୁ ନୟାଗଡ଼ ବ୍ଳକ ଶିକ୍ଷକ ସମାଜ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଗତ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ୨୦ ବର୍ଷ ତଳୁ ଅବସର ଗ୍ରହଣ କରିଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଶିକ୍ଷକ ପ୍ରଫୁଲ ମିଶ୍ର ଭୁବନେଶ୍ୱର ଉପକଣ୍ଠ ବାଳକାଟି ମଧ୍ୟଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଏବଂ ଅସହାୟ ଅବସ୍ଥାରେ ଦିନ କାଟୁଥିବା ନେଇ ଖବର ପ୍ରକାଶ ପାଇଥିଲା । ଦୀର୍ଘଦିନ ଧରି ସେ ଟିୟୁସନ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ତାଙ୍କ ସ୍ତ୍ରୀ ଏବଂ ପୁତ୍ରର ଅସମୟରେ ଦେହାନ୍ତ ହୋଇଯିବା ତଥା ବାର୍ଦ୍ଧକ୍ୟ ଜନିତ କାରଣରୁ ଗତ କିଛିବର୍ଷ ଧରି ଖୋର୍ଦ୍ଧା ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଜଣଯାଇଥିଲା । ଯାହାକୁ ନେଇ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକମାନଙ୍କ ପକ୍ଷରୁ ତାଙ୍କୁ ସହାୟତା ପ୍ରଦାନ ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଠାରୁ ସଂଗୃହିତ ସହାୟତା ରାଶିରେ ଖାଦ୍ୟ ସାମଗ୍ରୀ, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ତଥା କିଛି ଅର୍ଥରାଶି ଖୋର୍ଦ୍ଧାଠାରେ ଶିକ୍ଷକ ପ୍ରଫୁଲ୍ଲ ମିଶ୍ରଙ୍କୁ ତାଙ୍କ ବାସସ୍ଥାନରେ ଭେଟି ପ୍ରଦାନ କରାଯିବା ସହ ତାଙ୍କ ଦୀର୍ଘ ଜୀବନ କାମନା କରାଯାଇଥିଲା । ନୟାଗଡ଼ ବ୍ଲକ ଶିକ୍ଷକ ସମାଜ ପକ୍ଷରୁ ଶିକ୍ଷକ ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ସୁରେଶ ସେଠୀ, ସଂଗ୍ରାମ ସାହୁ, ଜୟକୃଷ୍ଣ ପଣ୍ଡା, ଅଶୋକ ମଲ୍ଲ, ସଲିମ ଇବ୍ରାହୀମ ପ୍ରମୂଖ ସାମିଲ ହୋଇଥିଲେ ।





