ପ୍ଲାଜ୍ମା ଦେଇଥିବା ବ୍ୟକ୍ତିଙ୍କୁ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରୁ କରୋନା ଯୋଦ୍ଧାଙ୍କ ସମେତ ୫ ଜଣ ପ୍ଲାଜମା ଦାନ କରିଥିବା ଜଣାଯାଇଛି । କରୋନା ଆକ୍ରାନ୍ତ ହୋଇଥିବା କରୋନା ଯୋଦ୍ଧା କନେଷ୍ଟବଳ ତୁଷାର କାନ୍ତ ନାୟକ କଟକ ଏସ୍ସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି । ଏଥିସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକର ଉମାକାନ୍ତ ତ୍ରିପାଠୀ, ରାଜ କିଶୋର ସାହୁ ମଧ୍ୟ ପ୍ଲାଜମା ଦାନ କରିଥିବା ବେଳେ ତାଙ୍କୁ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି । ମନ୍ତ୍ରୀ ବାସଭବନରେ ଏହି ଦୁଇ ଯୁବକଙ୍କୁ ପୁଷ୍ପମାଳ ଦେଇ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି । ଏଥିସହିତ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ପ୍ଲାଜମା ଦାନ କରିବାକୁ ଭୂବନେଶ୍ୱର ଯାଇଥିବା ତିନିଜଣଙ୍କ ମଧ୍ୟରୁ ଓଡ଼ଗାଁ ବ୍ଲକ୍ ସୁନାମୁହିଁ ଗ୍ରାମର ମହେନ୍ଦ୍ର କୁମାର ସାହୁ, ନୟାଗଡ଼ ମୁନିସିପାଲିଟିର ରାହୁଲ ସୁବୁଦ୍ଧି ପ୍ଲାଜମା ଦାନ କରିଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ରାଜ୍ୟରେ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ଏହାକୁ କମାଇବା ପାଇଁ ବିିଭିନ୍ନ ପଦକ୍ଷେପ ନେଉଛନ୍ତି । ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଥିଲେ । ଏଥିପାଇଁ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ସାହୁ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଆହ୍ୱାନ ଦେଇଥିଲେ ।






