ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ଏହାକୁ କମାଇବା ପାଇଁ ବିିଭିନ୍ନ ପଦକ୍ଷେପ ନେଉଛନ୍ତି । ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଥିଲେ । ଏଥିପାଇଁ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି । ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିଜ ନିର୍ବାଚନ ମଣ୍ଡଳୀରେ ପାଇଁ ଆହ୍ୱାନ ଦେଇଥିଲେ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସୂଚନାଅନୁସାରେ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀର ୩ଜଣ ବ୍ୟକ୍ତି ପ୍ଲାଜମା ଦାନ କରିବା ପାଇଁ ଭୁବନେଶ୍ୱର ଗସ୍ତ କରିଛନ୍ତି । ଓଡ଼ଗାଁ ବ୍ଲକ୍ ସୁନାମୁହିଁ ଗ୍ରାମର ମହେନ୍ଦ୍ର କୁମାର ସାହୁ, ରୋହିବାଙ୍କ ଗ୍ରାମର ବସନ୍ତ କୁମାର ଡାକୁଆ ଏବଂ ନୟାଗଡ଼ ମୁନିସିପାଲିଟିର ରାହୁଲ ସୁବୁଦ୍ଧି ଏଥିରେ ସାମିଲ ହୋଇଛନ୍ତି । ଆଜି ସେମାନଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସସମ୍ମାନେ ଭୁବନେଶ୍ୱର ପଠାଯାଇଛି । ନୟାଗଡ଼ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ୍ ଉପାଧ୍ୟକ୍ଷ ସୁବାଷ କହଁର ଓ ନୟାଗଡ଼ ମୁନିସିପାଲିଟିର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ପ୍ରମୁଖ ସାମିଲ ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଭୁବନେଶ୍ୱରଠାରେ ସ୍ଥାନୀୟ ବିଧାୟକ ଡ. ସାହୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସେମାନଙ୍କୁ ସ୍ୱାଗତ କରିନେବେ ବୋଲି ଜଣାପଡିଛି । ଏହି ପ୍ଲାଜ୍ମା ଦାନରେ ସମସ୍ତେ ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଜଣକ ପ୍ଲାଜମା ଦାନ ଦ୍ୱାରା ଦୁଇଜଣ ବ୍ୟକ୍ତି ମୃତ୍ୟୁମୁଖରୁ ବର୍ତ୍ତିବେ ବୋଲି ଜଣାପଡିଛି ।






