ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ସହରର ଉମାଦେବୀ ଛକ ନିକଟରେ ଏକ ବିଜ୍ଞାନକେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୫.୬୮ କୋଟି ଟଙ୍କା ମଂଜୁର କରିଛନ୍ତି । ମାତ୍ର ପ୍ରଶାସନିକ ସ୍ଥାଣୁତା ଯୋଗୁଁ ପ୍ରସ୍ତାବିତ ସ୍ଥାନରେ ଉକ୍ତ ବିଜ୍ଞାନକେନ୍ଦ୍ର ନିର୍ମାଣ କାର୍ଯ୍ୟ ଆଗେଇ ପାରୁନଥିବାରୁ ଏ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶପାଇଛି । ପ୍ରକାଶଥାଉକି, ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ନୂତନ ବିଜ୍ଞାନ କେନ୍ଦ୍ର ନିମନ୍ତେ ୫.୫ ଏକର ଯାଗା ଚିହ୍ନଟ କରାଯାଇ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଭୁବନେଶ୍ୱର ଇଡକୋ କର୍ତୃପକ୍ଷଙ୍କ ଉପରେ ବିଜ୍ଞାନ କେନ୍ଦ୍ର ନିର୍ମାଣ ନିମନ୍ତେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ପ୍ରଶାସନ ସୁତ୍ରରୁ ଜଣା ପଡିଛି । ତେବେ ଇଡକୋ କର୍ତୃପକ୍ଷ ବିଜ୍ଞାନ କେନ୍ଦ୍ର ନିର୍ମାଣ ନିମନ୍ତେ ଆଦୈା ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ପ୍ରକାଶଥାଉକି ଗତ ୨୦୧୯ ମାର୍ଚ୍ଚ ୪ ତାରିଖରେ ଖଣ୍ଡପଡାଠାରେ ବିଜ୍ଞାନ କେନ୍ଦ୍ର ନିର୍ମାଣ ନିମନ୍ତେ ତତ୍କାଳୀନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତାବିତ ସ୍ଥାନରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିଳାନ୍ୟାସ ଉତ୍ସବରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଖୁବଶିଘ୍ର ବିଜ୍ଞାନକେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ ହେଁ ଶିଳାନ୍ୟାସର ୧୭ମାସ ପରେ ବି ପ୍ରସ୍ତାବିତ ସ୍ଥାନରେ ବିଜ୍ଞାନ କେନ୍ଦ୍ର ନିର୍ମାଣ ତ ଦୂରର କଥା ମାଟି ଗାଣ୍ଡୁଏ ମଧ୍ୟ ପଡିଲା ନାହିଁ । ତେବେ ଖଣ୍ଡପଡାଠାରେ କେବେ ବିଜ୍ଞାନ କେନ୍ଦ୍ର ନିର୍ମାଣ ହେବ ଏ ନେଇ ଅନିଶ୍ଚିତତା ଦେଖାଦେଇଥିବାରୁ ଅଚଂଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶପାଇଛି ।





