ଭଦ୍ରକ, (ବାଘୁଆବାର୍ତ୍ତା): ନାବାଳିକା ଯୌନ ନିର୍ଯ୍ୟାତନା ଅଭିଯୁକ୍ତ ଧାମନଗର ଥାନା ଭଗିବିନ୍ଧା ଗ୍ରାମର ରମେଶ କୁଣ୍ଡୁଙ୍କ ପୁତ୍ର ମୋହନ କୁମାର କୁଣ୍ଡୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଲେ ଭଦ୍ରକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ଶ୍ରୀମତୀ ମିନତୀ ପଣ୍ଡା। ଜୋରିମାନା ଅନାଦେୟ ପୁନଶ୍ଚ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୨୦୨୨ ମସିହା ଜାନୁଆରି ମାସ ୧୩ ତାରିଖ ସନ୍ଧ୍ୟା ସମୟରେ ଧାମନଗର ଥାନା ଭଗିବିନ୍ଧା ଗ୍ରାମର ଜନୈକ ନାବାଳିକାକୁ ସେହି ଗ୍ରାମର ମୋହନ କୁଣ୍ଡୁ (୩୪ ବର୍ଷ) କୁରକୁରେ ଓ ଚକଲେଟ ଦେଇ ମିଥ୍ୟା ପ୍ରଲୋଭନ ଦେଖାଇ ନିକଟରେ ଥିବା ରେବ ନଦୀ କୂଳକୁ ନେଇ ତାକୁ ଉଲଗ୍ନ କରି ଧର୍ଷଣ କରିଥିଲା। ଏ କଥା କାହାରିକୁ କହିଲେ ଜୀବନରୁ ମାରି ଶେଷ କରିଦେବାକୁ ଧମକ ଦେଇଥିଲା। ବିଳମ୍ବିତ ରାତିରେ ନାବାଳିକା ଜଣଙ୍କ କାନ୍ଦି କାନ୍ଦି ନିଜ ମାଆ ପାଖରେ ସମସ୍ତ ବିଷୟ କହିବାରୁ ତା ପରଦିନ ତା ମାଆ ଏ ବିଷୟରେ ଧାମନଗର ଥାନାରେ ଲିଖିତ ଏତଲା ଦେଇଥିଲା। ସେ ଏତଲା କୁ ଭିତ୍ତିକରି ଧାମନଗର ଥାନା କେସ ନଂ-୧୫ /୨୨ ଦଫା -୩୭୬(୩), ୫୦୬ ଓ ନାବାଳିକା ଯୌନ ନିର୍ଯ୍ୟାତନା ନିରୋଧ ଆଇନ ର ଦଫା ୪ରେ ୧ ମାମଲା ହୋଇଥିଲା। ପୋଲିସ ଅଭିଯୁକ୍ତକୁ ସେହିମାସ ୧୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କଟିଥିଲା। ତେବେ ଅଭିଯୁକ୍ତ ବିଚାରାଧୀନ ବନ୍ଦୀ ଭାବେ ଅଦ୍ୟାବଧି ଜେଲରେ ଅଟକ ରହି ଆଜି ଏହି ରାୟ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ଓ ପ୍ରଦୀପ ମହାପାତ୍ର ମାମାଲା ପରିଚାଳନା କରୁଥିଲେ।





