ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆସନ୍ତା ନଭେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏହାକୁ ନେଇ ରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରଚାର ଜୋର୍ ଧରିଲାଣି । ଏହାରି ଭିତରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଖୁସି ଖବର ଆସିଛି । ରିପବ୍ଲିକାନ୍ ପ୍ରାଇମେରୀ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ନିକ୍କି ହେଲୀଙ୍କୁ ପରାସ୍ତ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ସାଉଥ୍ କ୍ୟାରୋଲିନା ବିଜୟ ହାସଲ କରି ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି । ଯଦି ସେ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି, ତେବେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହିତ ତାଙ୍କର ମୁକାବିଲା ହେବ । ଦକ୍ଷିଣ କ୍ୟାରୋଲିନାରେ ନିର୍ବାଚନ ପରେ ଅଧିକାଂଶ ସର୍ଭେରେ ଟ୍ରମ୍ପ ବିଜୟୀ ହେବେ ମତ ଦେଇଥିଲେ । ନିକ୍କି ହେଲୀ ସାଉଥ୍ କ୍ୟାରୋଲିନାର ବାସିନ୍ଦା ଏବଂ ସେ ସେଠାରୁ ୨ଥର ଗଭର୍ଣ୍ଣର ଭାବେ ନିର୍ବାଚିତ ହୋଇଛନ୍ତି । ମାତ୍ର ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀ ନିର୍ବାଚନରେ ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ୍ ଦେଇ ପାରିଲେ ନାହିଁ । ନିକ୍କି ହେଲୀଙ୍କ ପରାଜୟ ତାଙ୍କ ପାଇଁ ବଡ଼ ଝଟକା । କାରଣ ସେ ରାଷ୍ଟ୍ରପତି ଦୌଡ଼ରୁ ବାଦ୍ ପଡ଼ିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ସମସ୍ତ ପାଞ୍ଚ ମୁକାବିଲାରେ ଜିତ୍ ହାସଲ କରିଛନ୍ତି । ଦକ୍ଷିଣ କ୍ୟାରୋଲିନା ପୂର୍ବରୁ ଆୟୋଭା, ହ୍ୟାମ୍ପଶାୟର, ନେଓ୍ବେଦା ଏବଂ ୟୁଏସ୍ ବର୍ଜିନ୍ ଆଇଲ୍ୟାଣ୍ଡରେ ବିଜୟୀ ହୋଇଛନ୍ତି ।






