ନୟାଗଡ଼, (ବାଘୁଆବାର୍ତ୍ତା) : ୭ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରୁଥିବା ମହିଳାଙ୍କ ସହ ଖେଳ ଖେଳିଛି ଫେଡ୍କୋ କମ୍ପାନୀ । ଖରା ତରାରେ ଖଟି କମ୍ପାନୀ ପାଇଁ କାମ କରିବା ପରେ ଶେଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଚୂନ ମାରି ଛୁ ମାରିଛି କମ୍ପାନୀ । ସୂଚନାନୁସାରେ, ଫେଡ୍କୋ କର୍ତ୍ତର୍ୃପକ୍ଷ ବିଦ୍ୟୁତ ବିଲ ଆଦାୟ କରୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଗତ ୭ମାସର ବକେୟା ପ୍ରାପ୍ୟ ପ୍ରଦାନ ନକରି ପଳାଇ ଯାଇଥିବା ଜଣାପଡ଼ିଛି । ଜୁଲାଇ ମାସ ଆରମ୍ଭରୁ ଟିପିସିଓଡିଏଲ କର୍ତ୍ତୁପକ୍ଷ ଦାୟିତ୍ୱ ନେବା ପରେ ଏବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଫେଡକୋ କମ୍ପାନୀ କର୍ତୃପକ୍ଷଙ୍କ ଠାରୁ ବକେୟା ପ୍ରାପ୍ୟ ଆଉ କେବେ ପାଇବେ ଏ ନେଇ ଅନିଶ୍ଚିତତା ଦେଖାଦେଇଛି । ଜିଲ୍ଲାର ୮ଟି ବ୍ଳକ ଅଂଚଳ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଫେଡ୍କୋ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅଧିନରେ କାର୍ଯ୍ୟ କରୁଥିବାବେଳେ ଏବେ ବକେୟା ପ୍ରାପ୍ୟ ନପାଇ ହତାସ ହୋଇଥିବା ଜଣାଯାଇଛି । ବକେୟା ପ୍ରାପ୍ୟ ପାଇବାରୁ ବଂଚିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଆଜି ନୟାଗଡ଼ ନିକଟସ୍ଥ ପାଣିପୋଇଲା ବଙ୍ଗଳାଠାରେ ଏକତ୍ରୀତ ହୋଇ ଏ ସଂପର୍କରେ ଆଲୋଚନା କରିଥିବା ଜଣାଯାଇଛି । ଏନେଇ ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି ।






