ରଣପୁର, (ବାଘୁଆବାର୍ତ୍ତା): ଆଜିକାଲି ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି | ତା ସାଙ୍ଗକୁ ଠିକାଦାର, ଯନ୍ତ୍ରୀଙ୍କ ମନଇଚ୍ଛା ରାସ୍ତା ଯୋଗୁଁ ଦୁର୍ଘଟଣା ସଂଖ୍ୟା ଆହୁରି ଅଧିକ ହେବାରେ ଲାଗିଛି | ରାସ୍ତା କାମ ସମୟରେ କୌଣସି ସତର୍କ ବୋର୍ଡ ମରାଯାଉ ନାହିଁ କି କୌଣସି ଫିତା ଫିତା ବନ୍ଧା ଯାଉ ନାହିଁ | କେଉଁଠି ମାସ ମାସ ଧରି ଅଧ ପନ୍ତରିଆ ରାସ୍ତା କାମ ହୋଇ ପଡି ରହୁଛି | ଏପରିକି ରାସ୍ତାରେ ପାଣି ଛିଞ୍ଚା ଯାଉ ନ ଥିବା ଯୋଗୁଁ ପଥିକ, ବାଇକ ଚାଳକମାନେ ନାହିଁ ନ ଥିବା ଧୂଳି ମଧ୍ୟରେ ବାଧ୍ୟ ହୋଇ ଅଣ-ନିଶ୍ୱାସୀ ହୋଇ ଯାତାୟାତ କରୁଛନ୍ତି | ଏହି ଧୂଳି ଯୋଗୁଁ ମଧ୍ୟ ରୋଗଗ୍ରସ୍ତ ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି | ଏହିପରି ଏକ ଘଟଣା ଘଟିଛି ରଣପୁର ପାମ୍ପଡା ନିକଟରେ | ଜଣେ ବାଇକ ଚାଳକ ବାଇକରେ ଯାଉଥିବା ବେଳେ ହାୱାଇ ଗାଡିର ଛକା ଫାଟି ଗୋଡି ଛିଟିକି ଯାଇ ବାଇକ ଚାଳକଙ୍କ ଆଖିରେ ବାଜିବା ଯୋଗୁଁ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି | ଏ ନେଇ ବଡ଼ ବରମୂଳ ଗ୍ରାମର ରାଜେନ୍ଦ୍ର ବେହେରା ରଣପୁର ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି | ଅଭିଯୋଗ ଅନୁଯାୟୀ ଅଭିଯୋଗକାରୀଙ୍କ ବଡ଼ ଭାଇ ଜିତେନ୍ଦ୍ର କୁମାର ବେହେରା ମୋଟର ସାଇକେଲରେ କୌଣସି କାମରେ ନିଜ ଗ୍ରାମରୁ ରଣପୁର ଆସୁଥିବା ବେଳେ ଏ.ଆର.ଏସ. କମ୍ପାନୀର ପିଚୁ ଲୋଡ଼ ହାୱାଇ (OD-02-BR-7969) ଗାଡିର ପଛ ଚକା ପାମ୍ପଡା ପୋଖରୀ ଠାରେ ଫାଟି ଯିବାରୁ ଛୋଟ ମେଣ୍ଟାଲ ଛିଟିକି ଯାଇ ଜିତେନ୍ଦ୍ରଙ୍କ ଦୁଇଟି ଆଖିରେ ବାଜି ଥିଲା | ଫଳରେ ତାଙ୍କ ଆଖି ଦୁଇଟିରେ ଗଭୀର କ୍ଷତ ହୋଇଥିବା ତାଙ୍କ ସାନ ଭାଇ କହିଛନ୍ତି | ଆହତ ଜିତେନ୍ଦ୍ରଙ୍କୁ ରଣପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି | ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଆହତ ଜିତେନ୍ଦ୍ରଙ୍କ ଜୀବନ ରକ୍ଷା କରିବା ସହ ଚିକିତ୍ସାରେ ସହାୟତା ପ୍ରଦାନ କରିବା ପାଇଁ ତାଙ୍କ ସାନ ଭାଇ ରାଜେନ୍ଦ୍ର ଦାବି କରିଛନ୍ତି |





