କଟକ, (ବାଘୁଆବାର୍ତ୍ତା): ରେଳଷ୍ଟେସନ୍ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯିବା ଘଟଣାକୁ ଦିନ କେଇଟା ପୂରିନି । ନୂଆପଡ଼ା ବାଲିସାହି ବସ୍ତିଠାରୁ ମାତ୍ର କିଛି ହାତରେ ଦୂରରେ ଜଣେ ୭ ବର୍ଷର ଶିଶୁକନ୍ୟାଙ୍କୁ ଗଣବଳାତ୍କାର କରାଯାଇଛି । ୩ ଜଣ ଦୁର୍ବୃତ୍ତ ପୀଡ଼ିତାଙ୍କୁ ରାସ୍ତାରୁ ଉଠାଇ ନେଇ ଏକ ବଣ ଭିତରେ ଏଭଳି ଜଘନ୍ୟ କାଣ୍ଡ ଭିଆଇଛନ୍ତି । ନିଜେ ପୀଡ଼ିତା ନାବାଳିକା ପୁଲିସ ପାଖରେ ଏଭଳି ଅଭିଯୋଗ କରିଛନ୍ତି । ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି ମଧୁପାଟଣା ଥାନା ଅଞ୍ଚଳରେ । ମାମଲା ପରେ ପୁଲିସ ଛାନ୍ଭିନ୍ ଚଳାଇଛି । ପୋଲିସ ସୂଚନା ଅନୁଯାୟୀ, ନୂଆପଡ଼ା ନିକଟ ବାଲିସାହି ନୂଆ ବସ୍ତିରେ ଜଣେ ୭ ବର୍ଷର ଶିଶୁକନ୍ୟା ଓ ୧୦ ବର୍ଷିୟା ନାବାଳିକା ଗତକାଲି ସାଇକେଲ୍ରେ ପୋପରଡ଼ା ବୁଲିବାକୁ ଯାଇଥିଲେ । ଘରକୁ ଫେରି ଆସି ୭ ବର୍ଷର ଝିଅଟି ଯେଉଁ କଥା ପରିବାର ଆଗରେ କହିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା । ସେ ଜଣାଇଥିଲା, ‘ଆସିବା ବେଳେ ଗୋଟିଏ ସ୍ଥାନରେ ପଡ଼ିଗଲି । ଏହା ପରେ ୧୦ ବର୍ଷର ଝିଅଟି ସେଠାରୁ ସାଇକେଲ୍ ନେଇ ପଳାଇ ଆସିଲା । ମୁଁ ସେଠାରେ ପଡ଼ିରହିଥିଲି । ଏହି ସମୟରେ ୩ ଜଣ ଯୁବକ ମୋ ଗୋଡ଼ର ଚିକିତ୍ସା କରାଇବାକୁ କହି ସେଠାରୁ ନେଇଗଲେ । ମାତ୍ର ସେମାନେ ମୋତେ ଡାକ୍ତର ପାଖକୁ ବା ଔଷଧ ଦୋକାନକୁ ନନେଇ ଏକ ବଣ ଭିତରକୁ ନେଇଗଲେ । ଆଉ ସେଠାରେ ମୋ’ ସହିତ ଗଣବଳାତ୍କାର କରିଥିଲେ । ଏହା ପରେ ସେମାନେ ମୋତେ ଆଣି ରାସ୍ତାରେ ଛାଡ଼ିଦେଇଗଲେ । ମୁଁ ରାସ୍ତାରେ ପଡ଼ିଥିବା ବେଳେ ଅନ୍ୟ କିଛି ଲୋକ ଆଣି ଘର ପାଖରେ ଛାଡ଼ି ଦେଇଗଲେ । ଏହି ଘଟଣା ପରିବାର ଲୋକେ ଜାଣିବା ପରେ ତୁରନ୍ତ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ପୁଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡ଼ିତାଙ୍କୁ ଚିକିତ୍ସା କରିବା ସହିତ ତାଙ୍କର ଡାକ୍ତରୀ ମାଇନା କରିଛି । ଜଣେ ୭ ବର୍ଷର ଝିଅ ସହ ଏଭଳି କାଣ୍ଡ ହୋଇଥିବାରୁ ପୋଲିସ ମାମଲାର ତଦନ୍ତରେ ତତ୍ପରତା ଦେଖାଉଛି ।





