ରଣପୁର, (ବାଘୁଆବାର୍ତ୍ତା): ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରାଯାଇଛି | ଏଥି ନିମନ୍ତେ ଶରଣକୁଳ ଏସ୍ଡ଼ିପିଓ ସୁଧାକର ସାହୁଙ୍କ ତତ୍ୱାବଧାନରେ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଓ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କର ଆଇନ ଶୃଙ୍ଖଳା ଉପରେ କଡା ଦୃଷ୍ଟି ରଖିବା ସହ ପେଟ୍ରୋଲିଙ୍ଗକୁ ଜୋର କରିଥିବା ଜଣା ପଡିଛି |
ରଣପୁର ଥାନାର ଇନ୍ସପେକ୍ଟର ପଞ୍ଚାନନ ପରିଡା ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲେ | ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଛି | ସେମାନେ ଏହି ବନ୍ଧୁକକୁ ବନ୍ୟ ଜନ୍ତୁ ଶିକାର କରିବାରେ ବ୍ୟବହାର କରୁଥିଲେ ବୋଲି ଜଣା ପଡିଛି | ଗିରଫ ବ୍ୟକ୍ତିମାନେ ବନ୍ଧୁକର ଲାଇସେନ୍ସ ଦେଖାଇ ପାରି ନ ଥିଲେ | ଲାଇସେନ୍ସ ବିହୀନ ବନ୍ଧୁକ ବ୍ୟବହାର ଅଭିଯୋଗରେ ସେମାଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡିଛି | ସେହିପରି ଚାନ୍ଦପୁର ପୋଲିସ ଦୁଇ ଜଣଙ୍କୁ ଲାଇସେନ୍ସ ବିହୀନ ବନ୍ଧୁକ ବ୍ୟବହାର ଅଭିଯୋଗରେ ଗିରଫ କରିଥିବା ଜଣା ପଡିଛି | ଏ ନେଇ ଅପରାହ୍ନରେ ରଣପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା |





