ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ରାଜ୍ୟସଭା ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି । ଫେବ୍ରୁଆରୀ ୧୪ ତାରିଖରେ ସେ ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ । ରାଜସ୍ଥାନ କିମ୍ବା ହିମାଚଳ ପ୍ରଦେଶରୁ ସେ ରାଜ୍ୟସଭା ପାଇଁ ନିର୍ବାଚନ ଲଢ଼ିପାରନ୍ତି । ବର୍ତ୍ତମାନ ସମୟରେ ରାଇବରେଲୀ ଲୋକସଭା ଆସନରୁ ସାଂସଦ ଅଛନ୍ତି ସୋନିଆ । ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟି ରାଜ୍ୟସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ୧୪ଜଣ ଆଶାୟୀ ପ୍ରାର୍ଥୀ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼, ହରିୟାଣା, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ନାମାଙ୍କନ ଭରିବେ । ୟୁପିରୁ ସୁଧାଂଶୁ ତ୍ରିବେଦୀ ଏବଂ ଆରପିଏନ ସିଂହଙ୍କୁ ଛାଡ଼ି ୟୁପିରୁ ୭ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ସେହିପରି ହରିୟାଣାରୁ ପାର୍ଟି ସୁବାଷ ବରାଲାଙ୍କ ନାଁ ଘୋଷଣା କରିଛି । ପଶ୍ଚିମବଙ୍ଗରୁ ଦଳ ପକ୍ଷରୁ ସାମିଲ୍ ଭଟ୍ଟାଚାର୍ଯ୍ୟ, ଉତ୍ତରାଖଣ୍ଡରୁ ମହେନ୍ଦ୍ର ଭଟ୍ଟ୍, କର୍ଣ୍ଣାଟକରୁ ନାରାୟଣା କୃଷ୍ଣାସା ଏବଂ ଛତିଶଗଡ଼ରୁ ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ସୂଚନା ମୁତାବକ, ଉତ୍ତରପ୍ରଦେଶରୁ ରାଜ୍ୟସଭାରେ ୧୦ଟି ଆସନ ଖାଲି ହେଉଛି । ଏଥିପାଇଁ ବିଜେପି ୭ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସମାଜବାଦୀ ପାର୍ଟି ୩ଜଣଙ୍କୁ ନିଜର ପ୍ରାର୍ଥୀ କରିଛି । ସେହିପରି ଓଡ଼ିଶାରୁ ରାଜ୍ୟସଭାରେ ତିନୋଟି ସିଟ୍ ଖାଲି ହେଉଛି । ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ଦେବ । ବିଜୁ ଜନତା ଦଳ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ତୃତୀୟ ସିଟ୍ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ।






